ଭୁବନେଶ୍ୱର: ଷୋଡ଼ଶ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଙ୍ଗାମା ଓ ସ୍ଲୋଗାନବାଜି ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୧:୧୦ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି।
ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଂଗତ ନେତା ଏବଂ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ଶିବାଜୀ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ବିରୋଧୀ ଦଳ ପକ୍ଷରୁ ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା। ଗୃହର ସମସ୍ତ ସଦସ୍ୟ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ଶୋକ ପ୍ରସ୍ତାବ ପରେ ଯେପରି ପ୍ରଶ୍ନକାଳ ଆରମ୍ଭ ହୋଇଥିଲା, ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ। କେନ୍ଦ୍ର ସରକାରଙ୍କ ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬’ (MMDR Act) ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।
ବିରୋଧୀଙ୍କ ପ୍ରବଳ ପାଟିତୁଣ୍ଡ ଯୋଗୁଁ ଗୃହର କାର୍ଯ୍ୟସୂଚୀ ସ୍ୱାଭାବିକ ଭାବେ ଚାଲିପାରି ନଥିଲା, ଯାହା ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୧:୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।




