ଭୁବନେଶ୍ୱର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନଙ୍କ ପ୍ରବଳ ହଙ୍ଗାମା, ପ୍ଲାକାର୍ଡ ପ୍ରଦର୍ଶନ ଓ ସ୍ଲୋଗାନବାଜି ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଦୁଇଥର ମୁଲତବୀ ରଖିବା ପରେ ଶେଷରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି।
ଅଧିବେଶନ ଆରମ୍ଭରେ ସ୍ୱର୍ଗତ ବିଧାୟକ, ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଓ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରି ସ୍ୱର୍ଗତ ଆତ୍ମାଗୁଡ଼ିକ ପ୍ରତି ଗଭୀର ସମବେଦନା ଜଣାଇଥିଲେ।
ଏହାସହ ନେପାଳରେ ଘଟିଥିବା ବନ୍ୟା ବିପତ୍ତିରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିଚାରଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା।
ଶୋକ ପ୍ରସ୍ତାବ ପରେ ଯେପରି ପ୍ରଶ୍ନକାଳ ଆରମ୍ଭ ହୋଇଥିଲା, ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗ କୁ ଛୁଟି ଆସିଥିଲେ। କେନ୍ଦ୍ରର ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ’ (MMDR Bill) ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।
ବାଚସ୍ପତି ସୁରମା ପାଢ଼ୀ ଆନ୍ଦୋଳନରତ ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ନିବେଦନ କରିଥିଲେ। ମାତ୍ର ପ୍ରତିବାଦ ଜାରି ରହିବାରୁ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୧:୧୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଅପରାହ୍ନ ୧:୧୦ ରେ ଗୃହ ପୁନର୍ବାର ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ପୁନଶ୍ଚ ନିଜର ନାରାବାଜି ଓ ପ୍ରତିବାଦ ଜାରି ରଖିଥିଲେ। ଗୃହରେ ସ୍ୱାଭାବିକ ଆଲୋଚନା ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ ପୁଣିଥର ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲେ।




