ଭୁବନେଶ୍ୱର: ଓଡ଼ିଶାରେ ‘ଆବାସପ୍ଲସ୍-୨୦୨୪’ ସର୍ଭେ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ରାଜ୍ୟର ମୋଟ ୨୮.୪୨ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ପ୍ରାଥମିକ ଭାବେ ପକ୍କାଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ପରିଚାଳିତ ‘ଆବାସପ୍ଲସ୍-୨୦୨୪’ ସର୍ଭେ ମାଧ୍ୟମରେ ମୋଟ ୩୭,୮୯,୨୩୪ ଆଶାୟୀ ପରିବାରକୁ ସାମିଲ କରାଯାଇଥିଲା।
- ଯୋଗ୍ୟ ପରିବାର: ସର୍ଭେ ପରେ ଜିଲ୍ଲା ସ୍ତରୀୟ ଆପେଲେଟ୍ କମିଟି ଦ୍ୱାରା ୨୮,୪୨,୦୨୦ ଟି ପରିବାରକୁ PMAY-G ଅଧୀନରେ ପକ୍କାଘର ମଞ୍ଜୁରୀ ପାଇଁ ପ୍ରାଥମିକ ଭାବେ ଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି।
ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଘର ଯୋଗାଇଦେବା ପାଇଁ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ସ୍ଥାୟୀ ପ୍ରତୀକ୍ଷା ତାଲିକା ଚୂଡ଼ାନ୍ତ କରାଯିବ।
ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟଧାର୍ଯ୍ୟ ହାସଲ ହେବା ଏବଂ PWL ଚୂଡ଼ାନ୍ତ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମଞ୍ଜୁର କରାଯିବ।
ତେବେ ଆର୍ଥିକ ବର୍ଷ ୨୦୨୫-୨୬ ଏବଂ ୨୦୨୬-୨୭ ମଧ୍ୟରେ ଓଡ଼ିଶାରେ PMAY-G ଅଧୀନରେ କୌଣସି ନୂତନ ଘର ମଞ୍ଜୁର ହୋଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଗ୍ରାମାଞ୍ଚଳର କୌଣସି ଯୋଗ୍ୟ ଗରିବ ପରିବାର ଯେପରି ରହିନଯାଆନ୍ତି, ସେଥିପାଇଁ ଏହି ସର୍ଭେ କରାଯାଇଥିଲା।




