ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ପାଣିପାଗର ଗୁରୁତର ପରିବର୍ତ୍ତନ ଘଟିଛି। ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ, ଆଜି ରାତିସୁଦ୍ଧା ଏହି ପ୍ରଣାଳୀ କଳିଙ୍ଗପଟ୍ଟନମ୍ ନିକଟବର୍ତ୍ତୀ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ସାଙ୍ଘାତିକ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ପବନର ପ୍ରକୋପକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି:
- ରେଡ୍ ଆଲର୍ଟ (୪ ଜିଲ୍ଲା): କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମଲକାନଗିରି ଜିଲ୍ଲାରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିପାରେ।
- ଅରେଞ୍ଜ ଆଲର୍ଟ (୬ ଜିଲ୍ଲା): ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି।
- ୟେଲୋ ଆଲର୍ଟ (୧୬ ଜିଲ୍ଲା): ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପ୍ରଶାସନିକ ସତର୍କତା ଓ ମତ୍ସ୍ୟଜୀବୀଙ୍କୁ ବାରଣ
ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକର ତଳିଆ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କୁ ଯାତାୟାତ ନକରିବା ପାଇଁ ପରାମର୍ଶ ଦିଆଯାଇଛି।
ଏତଦ୍ବ୍ୟତୀତ, ଗଭୀର ସମୁଦ୍ରରେ ପବନର ବେଗ ଅଧିକ ରହୁଥିବାରୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏବଂ IMD ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।




