ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ଲଗାଣ ବର୍ଷା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକର ଛୁଟି ଆଉ ୧ ରୁ ୨ ଦିନ ବୃଦ୍ଧି କରାଯାଇପାରେ। ଏନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ସୂଚନା ଦେଇଛନ୍ତି।
ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ପୂର୍ବରୁ ହିଁ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇସାରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ଏହି ଅବପାତ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି।
ପାଣିପାଗ ସ୍ଥିତି, ଜଳବନ୍ଦୀ ଅବସ୍ଥା ଏବଂ ସ୍କୁଲ କୋଠାର ସୁରକ୍ଷାକୁ ଆଧାର କରି ଛୁଟି ବୃଦ୍ଧି ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ପିଲାମାନଙ୍କ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆବଶ୍ୟକ ପଡ଼ିଲେ ଛୁଟି ଅବଧିକୁ ଆଉ ଦିନେ କିମ୍ବା ଦୁଇଦିନ ବଢ଼ାଯିବ।
ବାରମ୍ବାର ବର୍ଷା ଓ ବନ୍ୟା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବା ଦ୍ୱାରା ଶିକ୍ଷାବର୍ଷ ଏବଂ ପାଠପଢ଼ା ପ୍ରଭାବିତ ହେଉଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହି ଶିକ୍ଷାଗତ କ୍ଷତିକୁ ପୂରଣ କରିବା ପାଇଁ ଶନିବାର କିମ୍ବା ରବିବାର ଏବଂ ଅନ୍ୟ ଦିନଗୁଡ଼ିକରେ ଅତିରିକ୍ତ କ୍ଲାସ୍ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ଗଣଶିକ୍ଷା ବିଭାଗ ସମଗ୍ର ସ୍ଥିତି ଉପରେ କ୍ରମାଗତ ନଜର ରଖିଛି। ତଳିଆ ଅଞ୍ଚଳଗୁଡ଼ିକରେ ଜଳସ୍ତର ହ୍ରାସ ପାଇବା ଏବଂ ପାଣିପାଗ ସୁଧୁରିବା ପରେ ବିଦ୍ୟାଳୟଗୁଡ଼ିକ ପୁନର୍ବାର ସ୍ୱାଭାବିକ ଭାବେ ଖୋଲିବ।




