କନ୍ଧମାଳ: ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଲଗାଣ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ଘଟିଛି। ପାହାଡ଼ରୁ ପ୍ରବଳ ବେଗରେ ଭାସି ଆସୁଥିବା ବର୍ଷାଜଳ ପ୍ରବାହ ଯୋଗୁଁ ନିର୍ମାଣାଧୀନ ରାସ୍ତାର ଏକ ବଡ଼ ଅଂଶ ଏବଂ ସୁରକ୍ଷା ଗାର୍ଡ ୱାଲ୍ ସମ୍ପୂର୍ଣ୍ଣ ଭାସିଯାଇଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।
ସୂଚନା ଅନୁଯାୟୀ, କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଧସିଯାଇଛି। ମୁଣ୍ଡିଆରୁ ପ୍ରବଳ ବେଗରେ ଖସୁଥିବା ବର୍ଷାଜଳ ନିର୍ମାଣାଧୀନ ଗାର୍ଡ ୱାଲ୍ ସହ ରାସ୍ତାକୁ ଧୋଇ ନେଇଛି।
ରାଞ୍ଚି-ବିଜୟୱାଡ଼ା କରିଡରର ଅଂଶବିଶେଷ ଥିବା ୧୫୭ ନମ୍ବର ଜାତୀୟ ରାଜପଥ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ମୁଖ୍ୟ ରାସ୍ତା ଅଟେ। ଗତବର୍ଷ ମଧ୍ୟ ଏହି କଳିଙ୍ଗା ଘାଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇ ଯାତାୟାତ ଦୀର୍ଘଦିନ ଧରି ବାଧାପ୍ରାପ୍ତ ହୋଇଥିଲା।
ପ୍ରବଳ ବର୍ଷା ଏବଂ ପୁନର୍ବାର ଭୂସ୍ଖଳନର ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ କଳିଙ୍ଗା ଘାଟି ଦେଇ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
- ମରାମତି କାର୍ଯ୍ୟ: କନ୍ଧମାଳ ଜିଲ୍ଲାପାଳଙ୍କ ସୂଚନାନୁସାରେ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ର ଅଧିକାରୀମାନେ ଅଞ୍ଚଳ ପରିଦର୍ଶନ କରିବେ ଏବଂ ବର୍ଷା ସମ୍ପୂର୍ଣ୍ଣ କମିବା ପରେ ହିଁ ମରାମତି କାମ ଆରମ୍ଭ ହେବ।
- ସେଲଫି ନନେବାକୁ ଆହ୍ୱାନ: ଦୁର୍ଘଟଣା ଏଡ଼ାଇବା ପାଇଁ ଲୋକଙ୍କୁ କଳିଙ୍ଗା ଘାଟି ଆଡ଼କୁ ଯାତ୍ରା ନକରିବାକୁ ଏବଂ ବିପଦପୂର୍ଣ୍ଣ ସ୍ଥାନରେ ସେଲଫି କିମ୍ବା ଫଟୋ ନନେବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।




