ମୁମ୍ବାଇ: ସ୍କୁଲ୍ ଟିଫିନ୍‌ରେ ଘର ତିଆରି ମେଥି ଶାଗ ତରକାରୀ ଆଣିଥିବାରୁ ଜଣେ କୋମଳମତି ଛାତ୍ରଙ୍କୁ ଖାଇବାରୁ ବାରଣ କରାଯିବା ସହ ଜରିମାନା ଆଦାୟ କରାଯିବା ଘଟଣା ଏବେ ବଡ଼ ବିବାଦ ସୃଷ୍ଟି କରିଛି। ମହାରାଷ୍ଟ୍ରର ଠାଣେ ଜିଲ୍ଲା ଅନ୍ତର୍ଗତ ଭାୟନ୍ଦର ଇଷ୍ଟସ୍ଥିତ ‘ତପୋବନ ସ୍କୁଲ୍’ରେ ଏହି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଜଣକ ଘରୁ ମେଥି ଶାଗ ଆଣିଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କ ଡାଏରୀରେ ନୋଟ୍ ଲେଖି ଏହା ବାରଣ ବୋଲି ଜଣାଇଥିଲେ। ଛାତ୍ରଙ୍କୁ ଘର ଖାଦ୍ୟ ଖାଇବାକୁ ନଦେଇ ସ୍କୁଲ କ୍ୟାଣ୍ଟିନ୍‌ରୁ ଖାଦ୍ୟ ଦିଆଯାଇଥିଲା ଏବଂ ତାଙ୍କ ଠାରୁ ୨୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ସ୍କୁଲର ଏହି କଠୋର ଖାଦ୍ୟ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍କୁଲ୍‌ରେ ନିରାମିଷ ନିୟମ ବ୍ୟତୀତ ମୂଳା, ପିଆଜ, ରସୁଣ, ଆଳୁ, ଆଦା, ବିଟ୍ରୁଟ୍ ଏବଂ ଗାଜର ଭଳି ମାଟି ତଳ କନ୍ଦମୂଳ ଖାଦ୍ୟ ଉପରେ ମଧ୍ୟ କଟକଣା ରହିଛି। ନିଷେଧ ଖାଦ୍ୟ ଆଣିଲେ କେତେକ କ୍ଷେତ୍ରରେ ୫୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଥିବା ଅଭିଯୋଗ ହୋଇଛି। ଜୈନ ଧର୍ମାବଲମ୍ବୀଙ୍କ ‘ପର୍ୟୁଷଣ’ ପର୍ବ ଏବଂ ଜୈନ ଖାଦ୍ୟପେୟ ପରମ୍ପରାକୁ ଆଧାର କରି ସ୍କୁଲ ଏହି ନିୟମ ଲାଗୁ କରିଥିବା କୁହାଯାଉଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମୀରା-ଭାୟନ୍ଦର ମହାନଗର ନିଗମର ଶିକ୍ଷା ବିଭାଗ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଶିକ୍ଷା ଅଧିକାର ଆଇନ ଏବଂ ମୌଳିକ ଅଧିକାରର ଉଲ୍ଲଂଘନ ଦର୍ଶାଇ ନିଗମ ପକ୍ଷରୁ ତପୋବନ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କେଉଁ ଅଧିକାର ବଳରେ ସ୍କୁଲ ଏଭଳି କଟକଣା ଓ ଜରିମାନା ଲଗାଉଛି, ସେ ନେଇ ଜବାବ ମଗାଯାଇଛି।