ଭୁବନେଶ୍ୱର: ଖଣିଜ ସମ୍ପଦର ବିକାଶ ଓ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଏମ୍ଏମ୍‌ଡିଆର୍‌ (MMDR) ଆଇନକୁ ନେଇ ଓଡ଼ିଶା ବିଧାନସଭାରେ ରାଜନୈତିକ ସୁରସୁରି ଓ ତୀବ୍ର ବିତର୍କ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାସକ ଦଳ ବିଧାୟକ ସନ୍ତୋଷ ଖଟୁଆ। ବିରୋଧୀ ଦଳଗୁଡ଼ିକର ମୁଖ୍ୟ ଏଜେଣ୍ଡା ଓଡ଼ିଶାର ସ୍ୱାର୍ଥ ନୁହେଁ, ବରଂ ନିଜର ଦଳୀୟ ସ୍ୱାର୍ଥ ହାସଲ କରିବା ବୋଲି ସେ ଅଭିଯୋଗ କରିଛନ୍ତି।

ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ, ବିଧାନସଭା ଭିତରେ ଯଦି କୌଣସି ନୀତିଗତ ପ୍ରସଙ୍ଗ, ତ୍ରୁଟି କିମ୍ବା ବିଚ୍ୟୁତି ରହିଛି, ତେବେ ଗଣତାନ୍ତ୍ରିକ ପଦ୍ଧତିରେ ସଭାଗୃହ ମଧ୍ୟରେ ସେଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରାଯିବା ଉଚିତ। କିନ୍ତୁ ବିରୋଧୀ ଦଳଗୁଡ଼ିକ ଗୃହ ଆଲୋଚନାରେ ଭାଗ ନନେଇ ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ଉଠାଇ କାର୍ଯ୍ୟସୂଚୀକୁ ବାଧାପ୍ରାପ୍ତ କରୁଛନ୍ତି।

ଖଣିଜ ସମ୍ପଦର ନିୟନ୍ତ୍ରଣ ଓ ବିକାଶ ପାଇଁ Mines and Minerals (Development and Regulation) Act, 1957 ଏକ ପ୍ରମୁଖ କେନ୍ଦ୍ରୀୟ ଆଇନ। ସମୟକ୍ରମେ ଏହି ଆଇନରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆସିଛି:

  • ୨୦୧୦ ସଂଶୋଧନ: କୋଇଲା ଏବଂ ଲିଗ୍ନାଇଟ୍‌ ସମ୍ପର୍କିତ ଖଣିଜ କନସେସନ୍‌ ପ୍ରକ୍ରିୟା ପାଇଁ Section 11A ଯୋଡ଼ାଯାଇଥିଲା।
  • ୨୦୧୫ ସଂଶୋଧନ: ଖଣିଜ କନସେସନ୍‌ ପ୍ରଦାନ କ୍ଷେତ୍ରରେ ନିଲାମୀ ବ୍ୟବସ୍ଥାକୁ ବ୍ୟାପକ ଭାବେ ଲାଗୁ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ନିୟମାନୁସାରେ, ୨୦୧୫ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖଣି ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ ବ୍ୟକ୍ତିଗତ ମନୋନୟନ କୁ ସମ୍ପୂର୍ଣ୍ଣ ବନ୍ଦ କରିବା। ଏହି ସଂଶୋଧନ ଦ୍ୱାରା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ ଭଳି ଜନକଲ୍ୟାଣକାରୀ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇଥିଲା।

ବିଧାୟକ ଖଟୁଆ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ଖଣି ଆଲୋକେସନ୍‌ ପ୍ରକ୍ରିୟା କରାଯାଉଥିଲା, କିନ୍ତୁ ବର୍ତ୍ତମାନର ଅକ୍ସନ୍‌ ବ୍ୟବସ୍ଥା ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆସିପାରିଛି। ଏହି ପ୍ରସଙ୍ଗରେ ସେ ପୂର୍ବତନ ବିଜେଡି ସରକାରଙ୍କ ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।