ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାରେ ବିମାନ ସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ଐତିହାସିକ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ କୁ ଏକ ପୂର୍ଣ୍ଣାଙ୍ଗ ବିମାନବନ୍ଦରରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଏୟାରଷ୍ଟ୍ରିପ୍ର ବିକାଶ ଓ ରୂପାନ୍ତରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଥିବା ନେଇ ଗୁରୁବାର ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଏହି ଏୟାରଷ୍ଟ୍ରିପ୍ର ଉନ୍ନତୀକରଣ ଓ ଭିତ୍ତିଭୂମି ବିକାଶ ପାଇଁ ଚାଲୁ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ରେ ଆବଶ୍ୟକୀୟ ଆର୍ଥିକ ପ୍ରାବଧାନ କରାଯାଇଛି। ପ୍ରକଳ୍ପକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଓଡ଼ିଶା ସରକାର କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ର ବିମାନବନ୍ଦରରେ ପରିଣତ ହେବା ଦ୍ୱାରା ମୟୂରଭଞ୍ଜ ଏବଂ ଆଖପାଖ ଅଞ୍ଚଳର ପରିବହନ ବ୍ୟବସ୍ଥା ସୁଦୃଢ଼ ହେବ। ଶିମିଳିପାଳ ଜାତୀୟ ଉଦ୍ୟାନ, ବାରିପଦା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଯାତାୟାତ ସହଜ ହେବ। ବିମାନ ସେବା ଆରମ୍ଭ ହେବା ଦ୍ୱାରା ଜିଲ୍ଲାରେ ବ୍ୟବସାୟ, ବାଣିଜ୍ୟ ଏବଂ ପୁଞ୍ଜିନିବେଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ଐତିହାସିକ ଏୟାରଷ୍ଟ୍ରିପ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।




