ଯାଜପୁର: ଓଡ଼ିଶାର ବିଭିନ୍ନ ଭାଗରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀ ଆଖୁଆପଦାଠାରେ ବିପଦସଙ୍କେତ ଟପିଥିବା ବେଳେ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଯାଜପୁର ଓ ଦଶରଥପୁର ବ୍ଲକ୍‌ ସୀମାନ୍ତରେ ପ୍ରବାହିତ କାଣୀ ନଦୀର ବନ୍ଧ ଭାଙ୍ଗି ୭୦ ଫୁଟର ବିରାଟ ଘାଇ ସୃଷ୍ଟି ହେବା ଫଳରେ ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, କାଣୀ ନଦୀର ପାଟଣାଠାରେ ଏହି ଘାଇ ସୃଷ୍ଟି ହୋଇଛି। ମାତ୍ର କିଛି ଦିନ ପୂର୍ବରୁ ଏହି ବନ୍ଧର ମରାମତି କରାଯାଇଥିଲା। ତେବେ ଉପରମୁଣ୍ଡରେ କ୍ରମାଗତ ବର୍ଷା ଏବଂ ନଦୀର ପ୍ରବଳ ଜଳସ୍ରୋତ ଯୋଗୁଁ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ପୁଣି ୭୦ ଫୁଟର ବଡ଼ ଘାଇ ସୃଷ୍ଟି ହୋଇଛି। ଘାଇ ଦେଇ ନଦୀର ବନ୍ୟାଜଳ ହୁ ହୁ ହୋଇ ଗାଁ ମଧ୍ୟକୁ ପ୍ରବେଶ କରୁଛି।

ଗୋଟିଏ ପଟେ ଅବିଶ୍ରାନ୍ତ ବର୍ଷା ଏବଂ ଅନ୍ୟପଟେ ବନ୍ୟାଜଳ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି। କାଶପା, ତାରାପଦା ଏବଂ ମଲ୍ଲିକାପୁର ପଞ୍ଚାୟତର ୧୦ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି। ରାସ୍ତାଘାଟ ଉପରେ ୨ରୁ ୩ ଫୁଟର ପାଣି ଚାଲୁଥିବାରୁ ସ୍ଥାନୀୟ ବାସିନ୍ଦା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଯିବାରୁ ବ୍ୟାପକ ଫସଲ ହାନି ଘଟିଛି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଜାଜପୁର ବିଡ଼ିଓ ତୁରନ୍ତ ଘାଇ ସ୍ଥଳ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ (ODRAF) ଟିମ୍‌କୁ ମୁତୟନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।