ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ପାଇଁ ଆଉ ଏକ ନୂଆ ଅଳଙ୍କାର ସେଟ୍ ପ୍ରସ୍ତୁତ ହେବ। ଏଥିସହ ଦୀର୍ଘଦିନ ଧରି ବନ୍ଦ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲିବ। ଶନିବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ନୂଆ ସୁନା ଅଳଙ୍କାର ସେଟ୍ ତିଆରି କରିବ। ରତ୍ନଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ହୋଇଥିବା ଫଟୋ, ଭିଡିଓ ଓ ଡିଜିଟାଲ ଡକ୍ୟୁମେଣ୍ଟେସନକୁ ଆଧାର କରି ଏହାର ଡିଜାଇନ୍ ଓ ନିର୍ମାଣ କରାଯିବ। ଅଳଙ୍କାର ତିଆରି ପାଇଁ ଅଭିଜ୍ଞ ସଂସ୍ଥାକୁ ଦାୟିତ୍ୱ ଦିଆଯିବ। ପାରମ୍ପରିକ ଆକୃତି, ନିର୍ଦ୍ଧାରିତ ଓଜନ ଓ ଧାର୍ମିକ ପରମ୍ପରାକୁ ଗୁରୁତ୍ୱ ଦିଆଯିବ।
ସେପ୍ଟେମ୍ବର ୩୦ରୁ ଗୁଣ୍ଡିଚା ମନ୍ଦିର ଦର୍ଶନ
ସେପ୍ଟେମ୍ବର ୩୦ରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ। ଆରମ୍ଭର ପ୍ରଥମ ୩ ଦିନ ଭକ୍ତଙ୍କ ପାଇଁ ପ୍ରବେଶ ମାଗଣା ରହିବ। ଏହା ପରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦର୍ଶନ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ।
ବୟସ୍କ, ଶିଶୁ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସହ ଭକ୍ତଙ୍କ ସୁବିଧା ପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରାଯାଉଛି।
ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ଉପରେ ଆଲୋଚନା
ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ଆଧାରକାର୍ଡ ଯାଞ୍ଚ ସହ ସ୍ଲଟ୍ ବୁକିଂ ମାଧ୍ୟମରେ ଦର୍ଶନ ସମୟ ନିର୍ଦ୍ଧାରଣ କରାଯିବା ନେଇ ପ୍ରସ୍ତାବ ରହିଛି।
ଏହାବ୍ୟତୀତ ସେବାୟତ କଲ୍ୟାଣ ଯୋଜନା ଓ ଆଦର୍ଶ ଗୁରୁକୁଳ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଗୁରୁକୁଳ ପ୍ରକଳ୍ପରେ ସ୍କୁଲ, ମନ୍ଦିର, ଖେଳ ପଡ଼ିଆ, ଅଡିଟୋରିୟମ ଓ ହଷ୍ଟେଲ ନିର୍ମାଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।




