ଭୁବନେଶ୍ୱର: ଡିଜିଟାଲ୍ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା, ସ୍ଥାୟୀ ପର୍ଯ୍ୟଟନ ଓ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ପାଳିତ ହୋଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ଷ୍ଟେଟ୍ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଡିଜିଟାଲ୍, ସମାବେଶୀ ଓ ସ୍ଥାୟୀ କରିବା ଉପରେ ଜୋର୍ ଦିଆଯାଇଥିଲା।

ଏଥର ବିଶ୍ୱ ପର୍ଯ୍ୟଟନ ଦିବସର ବିଶ୍ୱସ୍ତରୀୟ ବିଷୟବସ୍ତୁ ରହିଛି ‘Digital Agenda and Artificial Intelligence to Redesign Tourism’। ଏହାକୁ ଆଧାର କରି ଓଡ଼ିଶାରେ ପର୍ଯ୍ୟଟନସ୍ଥଳୀ ଆବିଷ୍କାର, ପର୍ଯ୍ୟଟକଙ୍କ ସେବା ଓ ଯାତ୍ରା ଅନୁଭୂତିକୁ ଡିଜିଟାଲ୍ ମାଧ୍ୟମରେ ଅଧିକ ସହଜ କରିବା ଉପରେ ଆଲୋଚନା ହୋଇଥିଲା।

ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ମାଧ୍ୟମରେ ରୋଜଗାର ଓ ଜୀବିକା ସୁଯୋଗ ସୃଷ୍ଟି ସହ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନ ଅର୍ଥନୀତିର ସକ୍ରିୟ ଅଂଶୀଦାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସମୁଦାୟଭିତ୍ତିକ ପର୍ଯ୍ୟଟନ ଓ ଗ୍ରାମୀଣ ଉଦ୍ୟୋଗୀଙ୍କୁ ସହାୟତା ପାଇଁ ପର୍ଯ୍ୟଟନ ବିଭାଗ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହା ମାଧ୍ୟମରେ ହୋମ୍‌ଷ୍ଟେ ମାଲିକମାନଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯିବ। ଗାଁ ଓ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଅର୍ଥନୈତିକ ସୁଯୋଗରେ ପରିଣତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ସେହିପରି ଦୁଃସାହସିକ ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍ ସହ ପର୍ଯ୍ୟଟନ ବିଭାଗର MoU ହୋଇଛି। ଚିଲିକାର ବରକୁଳରେ OTDCର ଇଭି ବୋଟ୍ ଏବଂ ସ୍ୱସ୍ତି ପକ୍ଷରୁ କାଟାମାରାନ୍‌ର ଭର୍ଚୁଆଲ୍ ଫ୍ଲାଗ୍‌ଅଫ୍ ମଧ୍ୟ କରାଯାଇଥିଲା। ଏହା ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ନୂଆ ଅନୁଭୂତି ସହ ପରିବେଶ ଅନୁକୂଳ ଯାତାୟାତ ବିକଳ୍ପକୁ ଯୋଡ଼ିବାର ପଦକ୍ଷେପ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଐତିହ୍ୟ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ମଧ୍ୟରେ ମଧ୍ୟ MoU ସ୍ୱାକ୍ଷର ହୋଇଛି। ଏହା ସହ ‘Redesigning Tourism with Digital Innovation’ ଶୀର୍ଷକ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏଥିରେ ଡିଜିଟାଲ୍ ପ୍ରଯୁକ୍ତି କିପରି ପର୍ଯ୍ୟଟନସ୍ଥଳୀ ଚିହ୍ନଟ, ସେବା ପ୍ରାପ୍ତି ଓ ପର୍ଯ୍ୟଟକଙ୍କ ଅନୁଭୂତିକୁ ବଦଳାଇପାରେ, ତାହା ଦର୍ଶାଯାଇଥିଲା।କାର୍ଯ୍ୟକ୍ରମରେ ‘Ethnic Tourism Initiative’ ନେଇ ସଚେତନତା କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା।

ଓଡ଼ିଶାର ଗ୍ରାମ, ସ୍ଥାନୀୟ ସଂସ୍କୃତି, ପାରମ୍ପରିକ ଖାଦ୍ୟ, ହସ୍ତଶିଳ୍ପ ଓ ଜୀବନଶୈଳୀକୁ ପର୍ଯ୍ୟଟନ ସହ ଯୋଡ଼ିବା ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାର ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ଛୋଟ ଓ ଅପରିଚିତ ପର୍ଯ୍ୟଟନସ୍ଥଳୀ ବିକାଶ ଏବଂ ସ୍ଥାନୀୟ ଲୋକଙ୍କୁ ହୋମ୍‌ଷ୍ଟେ, ଖାଦ୍ୟ, ଗାଇଡ୍ ଓ ଅନ୍ୟ ସେବାରେ ସାମିଲ କରିବା ଉପରେ ଜୋର୍ ଦେଉଛି।ପର୍ଯ୍ୟଟନ ବିଭାଗର କମିସନର-କମ୍-ସଚିବ ବଲୱନ୍ତ ସିଂହ କହିଛନ୍ତି, ଏହି ପଦକ୍ଷେପ ଗୁଡ଼ିକର ଲକ୍ଷ୍ୟ ହେଉଛି ଓଡ଼ିଶାରେ ନୂଆ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗୀ, ସମୁଦାୟ ଓ ବିଭିନ୍ନ ପ୍ରତିଷ୍ଠାନକୁ ପର୍ଯ୍ୟଟନ ବିକାଶରେ ଅଧିକ ସକ୍ରିୟ କରିବା।