ସୁନ୍ଦରଗଡ଼: ବେଆଇନ ମଦ କାରବାର ଉପରେ ଚଢ଼ାଉ କରିବାକୁ ଯାଇଥିବା ଅବକାରୀ ବିଭାଗର ଟିମ୍ ଉପରେ ଆକ୍ରମଣ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା ଅଧୀନ ଆଲଙ୍ଗପାଣି ଗାଁରେ ଏହି ଘଟଣା ଘଟିଛି। ଆକ୍ରମଣରେ ୨ ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିବା ବେଳେ ବିଭାଗୀୟ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଲଙ୍ଗପାଣି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବେଆଇନ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ କିଛି ଲୋକ ଅବକାରୀ କର୍ମଚାରୀଙ୍କୁ ବିରୋଧ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହା ସହ ଅବକାରୀ ବିଭାଗର ଗାଡ଼ିକୁ କ୍ଷତିଗ୍ରସ୍ତ କରାଯାଇଥିବା ରିପୋର୍ଟ ମିଳିଛି।
ଘଟଣା ପରେ ପୁଲିସ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ଦୁଇଟି ଥାନାର ଅଧିକାରୀ, ସଦର ଏସ୍ଡିପିଓ ଏବଂ ପ୍ରାୟ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ଅଞ୍ଚଳରେ ପହଞ୍ଚି ଚଢ଼ାଉ କରିଥିଲେ। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଧରାଯାଇଥିବା ବେଳେ ଅନ୍ୟ କିଛି ଲୋକ ଫେରାର ଥିବା କୁହାଯାଇଛି।
ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି। ଫେରାର ଥିବା ଲୋକଙ୍କୁ ଧରିବା ସହ ଆକ୍ରମଣର ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ତଦନ୍ତ କରାଯାଉଛି।




