ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଭୁଲ୍‌ ଅଭିଯୋଗକୁ ନେଇ ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ବୁଧବାର ଦିଆଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରାର ବିଶେଷ ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିନାହିଁ। ରାସ୍ତାରୋକ ଓ ଗାଡ଼ିମୋଟର ଅଟକାଇବା ଅଭିଯୋଗରେ ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିବା ବେଳେ ସହରରେ ଗାଡ଼ି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ କାର୍ଯ୍ୟାଳୟ ଚଳାଚଳ ସ୍ୱାଭାବିକ ରହିଥିବା ପୁଲିସ ସୂଚନା ଦେଇଛି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ୬ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା।

ଭୁବନେଶ୍ୱର ଡିସିପି ଡଃ ସରବଣ ବିବେକ ଏମ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସହରର ସମସ୍ତ ପ୍ରମୁଖ ଛକ ଓ ସଂବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାପକ ସୁରକ୍ଷା ବଳ ମୋତାୟନ କରାଯାଇଥିଲା।

ଡିସିପିଙ୍କ ପ୍ରମୁଖ ବକ୍ତବ୍ୟ:

ବନ୍ଦ ଯୋଗୁଁ ରାଜଧାନୀରେ କୌଣସି ବଡ଼ ଧରଣର ପ୍ରଭାବ ପଡ଼ିନାହିଁ। ଟ୍ରାଫିକ୍ ବ୍ୟବସ୍ଥା ଏବଂ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଥିଲା। ଦୋକାନ ବଜାର ଖୋଲା ରହିବା ସହ ସରକାରୀ ଅଫିସ୍‌ଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା।

କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ବିଶେଷ କରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯାତାୟାତରେ ବାଧା ସୃଷ୍ଟି କରୁଥିବା ଏବଂ ଗାଡ଼ି ଅଟକାଉଥିବା ଅଭିଯୋଗରେ ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କେତେକ କର୍ମୀଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କଠାରୁ ମୁଚାଲେକା ରଖାଯାଇ ପରବର୍ତ୍ତୀ ସମୟରେ ଛାଡ଼ି ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।