ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନରୁ ଖୋଜାଚାଲିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ର ଶୀର୍ଷ କମାଣ୍ଡର ମହମ୍ମଦ ଆସିଫ ଓରଫ ହାସିମ ମୁସାକୁ ସୁରକ୍ଷା ବଳ ଗୁଳିକରି ନିହତ କରିଛନ୍ତି। ବୁଧବାର ରାତିସାରା ଚାଲିଥିବା ଏକ ସ୍ୱତନ୍ତ୍ର ଏନକାଉଣ୍ଟରରେ ଏହି ଆତଙ୍କବାଦୀକୁ ନିପାତ କରାଯାଇଛି।

ଏହି ସଫଳତା ପୀର ପଞ୍ଚାଲ ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀ ନେଟୱାର୍କ ପାଇଁ ଏକ ଶକ୍ତ ଧକ୍କା ଭାବେ ବିବେଚନା କରାଯାଉଛି।

ସୂଚନା ଅନୁଯାୟୀ, ବଡଗାମ ଜିଲ୍ଲା ୟୁସମାର୍ଗ ନିକଟସ୍ଥ କୋରାଗ ଅଞ୍ଚଳରେ କେତେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ଏଜେନ୍ସିକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ CRPF ର ଯୁଗ୍ମ ଟିମ୍ ପକ୍ଷରୁ ‘ଅପରେସନ୍ କୋରାଗ’ ନାମରେ ଏକ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

ସୁରକ୍ଷା କର୍ମୀମାନେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ଲକ୍ଷ୍ୟ କରି ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଚେତାବନୀ ଦେଇଥିଲେ। ମାତ୍ର ଆତଙ୍କବାଦୀମାନେ ଅନ୍ଧାଧୁନ୍ଧ ଗୁଳିଚାଳନା କରିବାରୁ ସୁରକ୍ଷା ବଳ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏହି ଗୁଳିବିନିମୟରେ ମୁସା ନିହତ ହୋଇଥିଲା।

ଏନକାଉଣ୍ଟର ପରେ ସୁରକ୍ଷା ବଳ ଘଟଣାସ୍ଥଳରୁ ମୁସାର ମୃତଦେହ ସହ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ପୁଲିସ ପ୍ରଶାସନର ସୂଚନା ଅନୁଯାୟୀ ନିହତ ହାସିମ ମୁସା ପୀର ପଞ୍ଚାଲ ଅଞ୍ଚଳରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ କାର୍ପଟଦାର ଥିଲା। ୨୦୨୫ ମସିହାର ପ୍ରସିଦ୍ଧ ପହଲଗାମ ଆତଙ୍କବାଦୀ ଆକ୍ରମଣ ସହ ମଧ୍ୟ ତାଙ୍କର ସମ୍ପୃକ୍ତି ରହିଥିଲା।ଗତ ସେପ୍ଟେମ୍ବର ୫ ତାରିଖରେ ୟୁସମାର୍ଗ ପାହାଡ଼ି ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ମୁସାର ସହଯୋଗୀ ୟାସିର ନିହତ ହୋଇଥିବା ବେଳେ ମୁସା ଚତୁରତାର ସହ ଖସି ପଳାଇବାରେ ସଫଳ ହୋଇଥିଲା।

ସମ୍ପୃକ୍ତ ଜଙ୍ଗଲ ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ, ତାହା ସ୍ପଷ୍ଟ କରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।