ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଭାରତ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂତନ ଭୋଟର ପଞ୍ଜୀକରଣ ଆବେଦନ ଫର୍ମ-୬ (Form-6) ସହ ଯୋଡ଼ାଯାଇଥିବା ଅତିରିକ୍ତ ଘୋଷଣାନାମା କୁ ଆୟୋଗ ପ୍ରତ୍ୟାହାର କରିନେଇଛନ୍ତି।
ଏହି ନିଷ୍ପତ୍ତି ପରେ ECI-NET ଆପ୍, ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋର୍ଟାଲରୁ ଏହି ଅତିରିକ୍ତ ଘୋଷଣାନାମାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।
ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପ ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଆବେଦନକାରୀମାନେ ଏବେ ନିର୍ବାଚନ ପଞ୍ଜୀକରଣ ନିୟମ, ୧୯୬୦ ଅଧୀନରେ ନିର୍ଦ୍ଧାରିତ ମୂଳ ବୈଧାନିକ ଫର୍ମ-୬ ମାଧ୍ୟମରେ ହିଁ ସହଜରେ ଆବେଦନ କରିପାରିବେ।
ଗତ ସେପ୍ଟେମ୍ବର ୨୬ ତାରିଖରେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ, ଫର୍ମ-୬ ସହ ସଂଯୁକ୍ତ ଅତିରିକ୍ତ ଘୋଷଣାନାମା କେବଳ SIR ପ୍ରକ୍ରିୟା ଚାଲୁଥିବା ସମୟ ପାଇଁ ହିଁ ଲାଗୁ ହେବ।ସାଧାରଣ ସମୟରେ ୧୯୬୦ ନିୟମାବଳୀ ଅନୁଯାୟୀ ମୂଳ ନିୟମ ଅନୁସାରେ କାର୍ଯ୍ୟ ସମ୍ପାଦନ କରାଯିବ।
ସୂଚନାଯୋଗ୍ୟ ଯେ, SIR ସମୟରେ ଫର୍ମ-୬ ସହ ଏହି ଅତିରିକ୍ତ ଘୋଷଣାନାମା ଯୋଡ଼ାଯିବା ଏବଂ ସେଥିରେ ଆବେଦନକାରୀଙ୍କ ନିଜର, ସେମାନଙ୍କ ବାପା-ମା’ କିମ୍ବା ଅଜା-ଆଈଙ୍କ ନାମ ପୂର୍ବ ନିର୍ବାଚନ ତାଲିକାରେ ଥିବା ସମ୍ପର୍କିତ ବିବରଣୀ ମଗାଯିବାକୁ ନେଇ କମିଶନଙ୍କ ଭିତରେ ହିଁ ତୀବ୍ର ମତଭେଦ ସୃଷ୍ଟି ହୋଇଥିଲା।
ନିର୍ବାଚନ ଆୟୁକ୍ତ ବିବେକ ଯୋଶୀ ଓ ସୁଖବୀର ସିଂହ ସାନ୍ଧୁ ଆଇନଗତ ନିୟମ ସଂଶୋଧନ ନକରି ବୈଧାନିକ ଫର୍ମ-୬ ର ଗଠନମୂଳକ ପରିବର୍ତ୍ତନକୁ ନେଇ କଡ଼ା ଆପତ୍ତି ଉଠାଇଥିଲେ। ତେବେ ନିର୍ବାଚନ ଆୟୋଗ ଏହାକୁ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ପାଇଁ ଏକ ନିର୍ଦ୍ଦିଷ୍ଟ ଅତିରିକ୍ତ ପ୍ରକ୍ରିୟା ବୋଲି ଦର୍ଶାଇବା ସହ ସୁପ୍ରିମକୋର୍ଟ ମଧ୍ୟ ଏହି ବ୍ୟବସ୍ଥାକୁ କାୟମ ରଖିଥିବା ସ୍ପଷ୍ଟ କରିଥିଲେ।




