ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବହୁଚର୍ଚ୍ଚିତ ମହାନଦୀ ଜଳବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବେ।
ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ଜଳର ସମାନ ଓ ନ୍ୟାୟସଙ୍ଗତ ବଣ୍ଟନ ପ୍ରକ୍ରିୟାକୁ ଆଗକୁ ନେବା ଏବଂ ବିବାଦର ସ୍ଥାୟୀ ସମାଧାନ ବାହାର କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୦ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଭୁବନେଶ୍ୱର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।
ଏହି ବୈଠକ ପରେ ଶ୍ରୀ ସାଏ କହିଥିଲେ ଯେ ଓଡ଼ିଶା, ଛତିଶଗଡ଼ ଏବଂ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ସରକାର ଥିବାରୁ ମହାନଦୀ ଜଳବିବାଦର ଶୀଘ୍ର ଆପୋସ ସମାଧାନ ହୋଇପାରିବ।
ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ କେନ୍ଦ୍ରୀୟ ଜଳ ଆୟୋଗ (CWC) ମାଧ୍ୟମରେ ଆଲୋଚନା କରି ବିବାଦର ସମାଧାନ ପାଇଁ ପୂର୍ବରୁ ସମ୍ମତି ପ୍ରକାଶ କରିସାରିଛନ୍ତି।
୨୦୧୬ ମସିହାରୁ ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଏକପାଖିଆ ଭାବେ ଅତିକମରେ ୮ଟି ବ୍ୟାରେଜ୍ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳପ୍ରବାହ ହ୍ରାସ ପାଇଛି ବୋଲି ଓଡ଼ିଶା ଅଭିଯୋଗ କରିଆସୁଛି।
ମହାନଦୀ ହେଉଛି ଓଡ଼ିଶାର ‘ଜୀବନରେଖା’। ଜଳପ୍ରବାହ କମିବା ଯୋଗୁଁ ରାଜ୍ୟର କୃଷି, ମତ୍ସ୍ୟଚାଷ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେଉଛି। ଆଜିର କେନ୍ଦ୍ରୀୟ ମଧ୍ୟସ୍ଥତା ବୈଠକ ପରେ ଏହି ଦୀର୍ଘଦିନର ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି।




