ପୁରୀ: ପବିତ୍ର କାର୍ତ୍ତିକ ମାସ ପାଖେଇ ଆସୁଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ହବିଷ୍ୟାଳୀ ଯୋଜନା’ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଚଳିତ ବର୍ଷ ଏହି ଯୋଜନା ଅଧୀନରେ ୨,୫୦୦ ଜଣ ମହିଳା ହବିଷ୍ୟାଳୀଙ୍କୁ ମାଗଣାରେ ରହିବା, ମହାପ୍ରସାଦ ସେବନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସୁବିଧା ଯୋଗାଇ ଦିଆଯିବ।
ଏହି ଯୋଜନାରେ ସାମିଲ ହେବା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଅକ୍ଟୋବର ୬ ତାରିଖ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ। ଧାର୍ଯ୍ୟ ଲକ୍ଷ୍ୟପୂରଣ ହେବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଚଳିତ ବର୍ଷ ପବିତ୍ର କାର୍ତ୍ତିକ ବ୍ରତ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।
- ପୋର୍ଟାଲ୍:ରାଜ୍ୟ ସରକାରଙ୍କ e-District portal (edistrict.odisha.gov.in) ମାଧ୍ୟମରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ଯୋଗ୍ୟ ଆବେଦନକାରୀମାନେ ଆବେଦନ କରିପାରିବେ।
- ଯୋଗ୍ୟତା: ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଏବଂ ୫୦ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ସଧବା ମହିଳା, ଯେଉଁମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି, ସେମାନେ ଏହି ଯୋଜନା ପାଇଁ ପଞ୍ଜୀକରଣ କରିପାରିବେ।
- ପ୍ରାଥମିକତା: ପ୍ରଥମ ଥର ଆବେଦନ କରୁଥିବା ହବିଷ୍ୟାଳୀଙ୍କୁ ଅଗ୍ରାଧିକାର ଦିଆଯିବ।
ଯୋଗାଇ ଦିଆଯିବ ସମସ୍ତ ସୁବିଧା
ପୁରୀରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନଙ୍କ ପାଇଁ ବ୍ରୁନ୍ଦାବତୀ ନିବାସ ସମେତ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯାଇଛି।ସେଠାରେ ସେମାନଙ୍କ ପାଇଁ ନିତ୍ୟକାନ୍ତି ସୁବିଧା, ଚିକିତ୍ସା ସେବା, ମହାପ୍ରସାଦ ସେବନ ଏବଂ ଶ୍ରୀମନ୍ଦିରରେ ସୁରକ୍ଷିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।




