ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରକୁ ହୋଇଥିବା ମାରାତ୍ମକ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତିରେ ନିଆଁ ଉଠିଛି। ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି।

‘ଆଇନର ଶାସନ ନା ଗୁଣ୍ଡାରାଜ?’ — ନବୀନ ପଟ୍ଟନାୟକ

ଆକ୍ରମଣ ଘଟଣାକୁ ନେଇ ସୋସିଆଲ ମିଡିଆ ‘ଏକ୍ସ’ (X)ରେ ପୋଷ୍ଟ କରି ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରାଯିବା ଘଟଣା ଅପରାଧୀଙ୍କ ଦୁଃସାହସକୁ ଦର୍ଶାଉଛି। ରାଜ୍ୟରେ ଏବେ ‘ଆଇନର ଶାସନ ଚାଲିଛି ନା ଗୁଣ୍ଡାରାଜ?’ ବୋଲି ସେ ପ୍ରଶ୍ନ କରିଛନ୍ତି।

ଧର୍ମଶାଳା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ହିଂସାତ୍ମକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାର ଅପରାଧୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନିନ୍ଦନୀୟ ବୋଲି ସେ କହିଛନ୍ତି। ଏହି ମିଥ୍ୟା ଶାସନ ଓ ଅରାଜକତା ବିରୋଧରେ ଓଡ଼ିଶାବାସୀ ଉଚିତ୍‌ ଜବାବ ଦେବେ ବୋଲି ନବୀନ ସଜାଗ କରିଛନ୍ତି।

ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କିଛି ସଶସ୍ତ୍ର ଦୁର୍ବୃତ୍ତ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ତିନୋଟି ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ କେତେକ ବିଜେଡି କର୍ମୀ ଆହାତ ହୋଇଛନ୍ତି। ପ୍ରଣବ ବଳବନ୍ତରାୟ ଏ ନେଇ ଯାଜପୁର ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ଅପରପକ୍ଷରେ, ଯାଜପୁର ଏସପି ୟଶପ୍ରତାପ ଶ୍ରୀମାଲ କହିଛନ୍ତି ଯେ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସିସିଟିଭି ଫୁଟେଜ୍‌‌ ଏବଂ ଭିଡିଓ ଯାଞ୍ଚ କରାଯାଉଛି। ଏହି ଆକ୍ରମଣରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳରେ ପୋଲିସ ବଳ ମୋତାୟନ କରାଯାଇ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।