ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଅସାମାଜିକ ତତ୍ତ୍ୱ, ପେଶାଦାର ଅପରାଧୀ ଏବଂ ବେଆଇନ୍‌ ନିଶାଦ୍ରବ୍ୟ କାରବାର ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଆପଣାଇ ରାଜ୍ୟସାରା ଆରମ୍ଭ ହୋଇଛି ବିଶେଷ ଦମନ ଅଭିଯାନ।

ଭାରପ୍ରାପ୍ତ ଡିଜି ବିନୟ ତୋଷ ମିଶ୍ରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଗତ ସେପ୍ଟେମ୍ବର ୨୧ ତାରିଖରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲା ପୋଲିସ, କମିଶନରେଟ୍‌ ପୋଲିସ, ରେଳବାଇ ପୋଲିସ ଏବଂ ବିଭିନ୍ନ ବିଶେଷଜ୍ଞ ପୋଲିସ ୟୁନିଟ୍‌ଗୁଡ଼ିକ ମିଳିତ ଭାବେ ଅଂଶଗ୍ରହଣ କରି ଚଢ଼ାଉ ଜାରି ରଖିଛନ୍ତି।

କାର୍ଯ୍ୟାନୁଷ୍ଠାନର ପ୍ରମୁଖ ସୂଚନା:

  • NBW କାର୍ଯ୍ୟକାରୀ: ଦୀର୍ଘଦିନରୁ ଫେରାର ଥିବା ଅପରାଧୀଙ୍କ ବିରୋଧରେ ୧,୪୪୮ଟି ନନ୍-ବେଲେବୁଲ୍‌ ୱାରେଣ୍ଟ (NBW) କାର୍ଯ୍ୟକାରୀ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।
  • ଅବକାରୀ ମାମଲା:ବେଆଇନ୍‌ ମଦ ବିକ୍ରି ଓ ଚୋରା ଚାଲାଣ ରୋକିବା ପାଇଁ ୧,୭୦୭ଟି ଅବକାରୀ ମାମଲା ରୁଜୁ ହୋଇଛି।
  • NDPS ମାମଲା: ନିଶାକାରବାର ଓ ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ଜବତ ନେଇ ୮୯ଟି NDPS ମାମଲା ଦାୟର କରାଯାଇଛି।

ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଭଳି ବଡ଼ ପାର୍ବଣରେ ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଅସାମାଜିକ ତତ୍ତ୍ୱଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ପୋଲିସର ଏହି ଦମନ ଅଭିଯାନ ଅଧିକ କଡ଼ାକଡ଼ି ଭାବେ ଜାରି ରହିବ।ରାଜ୍ୟର ପ୍ରତ୍ୟେକ ପୂଜାମଣ୍ଡପ, ଜନଗହଳିପୂର୍ଣ୍ଣ ସ୍ଥାନ, ରେଳବାଇ ଷ୍ଟେସନ ଓ ଜିଲ୍ଲା ସୀମାଗୁଡ଼ିକରେ କଡ଼ା ପେଟ୍ରୋଲିଂ ଓ ଯାଞ୍ଚ ପ୍ରକ୍ରିୟା ବଳବତ୍ତର ରହିବ।