ଭୁବନେଶ୍ୱର: ରାଜ୍ୟର କଲେଜ କ୍ୟାମ୍ପସଗୁଡ଼ିକରେ ପୁଣି ସରଗରମ ହେବାକୁ ଯାଉଛି ଛାତ୍ର ରାଜନୀତି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭୋଟଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।
ନିର୍ବାଚନ ସୂଚୀ
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ନିର୍ବାଚନ ପ୍ରକ୍ରିୟା ନିମ୍ନଲିଖିତ ଭାବେ ସମ୍ପାଦିତ ହେବ:
- ଅକ୍ଟୋବର ୭: ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।
- ଅକ୍ଟୋବର ୯: ପ୍ରାର୍ଥିପତ୍ର ଦାଖଲ ଅନୁଷ୍ଠିତ ହେବ।
- ଅକ୍ଟୋବର ୧୫: ସକାଳୁ ଭୋଟଗ୍ରହଣ ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା।
- ଅକ୍ଟୋବର ୧୬: ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ।
ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ କଲେଜଗୁଡ଼ିକରେ ଦଶହରା ଛୁଟି ଆରମ୍ଭ ହେବ।
୨୦୧୭ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଦୀର୍ଘ ଦିନ ପରେ ପୁଣିଥରେ ନିର୍ବାଚନ ହେବାକୁ ଥିବାରୁ କଲେଜଗୁଡ଼ିକରେ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। କ୍ୟାମ୍ପସଗୁଡ଼ିକରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇସାରିଛି।
ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନର ମଧ୍ୟ ସହଯୋଗ ନିଆଯିବ।




