ବ୍ରହ୍ମପୁର: ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେବା ପରେ ବ୍ରହ୍ମପୁର ସ୍ଥିତ ପ୍ରସିଦ୍ଧ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଛାତ୍ର ଆହତ ହୋଇଥିବା ବେଳେ ପୋଲିସ ୯ ଜଣଙ୍କୁ ଅଟକ ରଖିଛି। ଘଟଣା ପରେ କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୋତାୟନ କରାଯାଇଛି।

ସୂଚନା ଅନୁସାରେ, ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଉତ୍ସବ ମନାଇବା ସହ ମିଠା ବାଣ୍ଟିଥିଲେ। ସେହି ସମୟରେ ନିର୍ବାଚନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧିମାନେ କ୍ୟାମ୍ପସରେ ପହଞ୍ଚିଥିଲେ।

ଆହତ ଛାତ୍ରଙ୍କ ଅଭିଯୋଗ ଅନୁସାରେ, କିଛି ସାଧାରଣ ପୋଷାକ ପରିହିତ ଯୁବକ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ଛାତ୍ରମାନେ ସେମାନଙ୍କୁ ଏଡ଼ାଇ ଚାଲିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ପୃକ୍ତ ଯୁବକମାନେ ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ଠେଙ୍ଗା ଓ ବାଡ଼ି ଧରି ଜଗି ରହିଥିଲେ। ଛାତ୍ରମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଜଣେ ଛାତ୍ରଙ୍କ ହାତରେ ଗମ୍ଭୀର ଆଘାତ ଲାଗିବା ସହ ଅନ୍ୟ ୩ ଜଣ ଛାତ୍ର ଆହତ ହୋଇଥିଲେ।

ଆକ୍ରମଣ ପରେ ଭୟଭୀତ ଛାତ୍ରମାନେ ତୁରନ୍ତ ଆପାତକାଳୀନ ନମ୍ବର ୧୧୨କୁ କଲ୍‌ କରିବା ସହ କୁଳପତି (VC)ଙ୍କ କାର୍ଯ୍ୟାଳୟକୁ ଯାଇ ଆଶ୍ରୟ ନେଇଥିଲେ। ଆକ୍ରମଣକାରୀମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ଏବଂ ଏହାର ଭିଡିଓ ପ୍ରମାଣ ସେମାନଙ୍କ ପାଖରେ ରହିଥିବା ଅଭିଯୋଗ ହୋଇଛି।

ଖବର ପାଇ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଘଟଣାରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଅଟକ ରଖି ଥାନାରେ ପଚରାଉଚରା ଜାରି ରଖିଛି। କ୍ୟାମ୍ପସରେ ଅଧିକ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।