ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରବଚ୍ଛିନ୍ନ ଭାବେ ୨୫ ବର୍ଷର ଜନସେବା ପୂରଣ କରିଥିବା ଅବସରରେ ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅତୁଳନୀୟ ସେବା ଯାତ୍ରା ଓ ନେତୃତ୍ୱକୁ ଶ୍ରଦ୍ଧାଞ୍ଜଳି ଜଣାଇ ସେ ଏହି ସୁନ୍ଦର କଳାକୃତି ସୃଷ୍ଟି କରିଛନ୍ତି।

ଏହି ବାଲୁକା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ହାତ ଯୋଡ଼ି ପ୍ରଣାମ କରୁଥିବା ପ୍ରତିକୃତି ନିର୍ମାଣ କରାଯାଇଛି। ଏହାସହ ବାଲୁକା ପ୍ରତିମାରେ ‘୨୫ YEARS Of Public Service’ ଏବଂ ‘The Spirit of Service, Modi Ji’s Vision for Viksit Bharat’ ଲେଖାଯାଇ ‘ବିକଶିତ ଭାରତ’ ଗଠନ ପାଇଁ ତାଙ୍କର ସଂକଳ୍ପକୁ ପ୍ରଦର୍ଶିତ କରାଯାଇଛି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ (X) ରେ ଏହି କଳାକୃତିର ଫଟୋ ସେୟାର କରି ସୁଦର୍ଶନ ଲେଖିଛନ୍ତି, “ରାଷ୍ଟ୍ର ପାଇଁ ୨୫ ବର୍ଷର ସେବା, ନେତୃତ୍ୱ ଏବଂ ସମର୍ପଣ। ୨୫ ବର୍ଷର ଜନସେବା ସଫଳତାର ସହ ପୂରଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପୁରୀ ବେଳାଭୂମିରେ ମୋର ଏହି ବାଲୁକା କଳା ତାଙ୍କର ଏହି ଗୌରବମୟ ଯାତ୍ରା ଏବଂ ବିକଶିତ ଭାରତର ସ୍ୱପ୍ନ ପ୍ରତି ଏକ ନମ୍ର ଶ୍ରଦ୍ଧାଞ୍ଜଳି।”

ପୁରୀ ବେଳାଭୂମିକୁ ବୁଲି ଆସୁଥିବା ପର୍ଯ୍ୟଟକ, ଶ୍ରଦ୍ଧାଳୁ ଏବଂ ନେଟିଜେନ୍‌ମାନେ ସୁଦର୍ଶନଙ୍କ ଏହି ବାଲୁକା କଳାର ଭୂୟସୀ ପ୍ରଶଂସା କରିଛନ୍ତି।