ହାଇଦ୍ରାବାଦ: ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁରୁବାର ହାଇଦ୍ରାବାଦଠାରେ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା ବେଳେ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ‘ଲୋକ ଭବନ’ (ରାଜପାଳଙ୍କ ସରକାରୀ ବାସଭବନ) ଆଡ଼କୁ ଅଗ୍ରସର ହେଉଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବହୁ ପ୍ରମୁଖ ନେତାଙ୍କୁ ତେଲେଙ୍ଗାନା ପୁଲିସ ଅଟକ ରଖିଛି।

ସୂଚନା ଅନୁଯାୟୀ, ନେକଲେସ୍ ରୋଡ୍‌ସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଶତାଧିକ ନେତା ଓ କର୍ମୀ ହାତରେ ବ୍ୟାନର ଓ ପତାକା ଧରି ଲୋକ ଭବନ ଆଡ଼କୁ ପଦଯାତ୍ରା କରିଥିଲେ। ଖୈରତାବାଦ ଛକ ନିକଟରେ ପୁଲିସ ବାରିକେଡ୍ ଲଗାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପ୍ରତିବାଦକାରୀମାନେ ବାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିବାରୁ ପୁଲିସ ସେମାନଙ୍କୁ ପୁଲିସ ଭ୍ୟାନ୍‌ରେ ଉଠାଇ ନେଇଥିଲା।

ଅଟକ ହୋଇଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ମହେଶ କୁମାର ଗୌଡ଼, ଏମଏଲସି କୋଦଣ୍ଡରାମ, ସିପିଆଇ ବିଧାୟକ କୁନାମନେନି ସମ୍ବଶିବ ରାଓ ଏବଂ ସିପିଆଇ-ଏମ୍ ରାଜ୍ୟ ସମ୍ପାଦକ ଜନ୍ ୱେସ୍‌ଲି ପ୍ରମୁଖ ସାମିଲ ଅଛନ୍ତି। ଏହି ପଦଯାତ୍ରାରେ ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ପୋନ୍ନାମ୍ ପ୍ରଭାକର, ଶ୍ରୀଧର ବାବୁ ଏବଂ ମହମ୍ମଦ ଆଜହରୁଦ୍ଦିନ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଅଟକ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ମହେଶ କୁମାର ଗୌଡ଼ କହିଛନ୍ତି ଯେ କେନ୍ଦ୍ରର ମୋଦୀ ସରକାର ନିର୍ବାଚନ ଆୟୋଗ ଭଳି ସାଂବିଧାନିକ ସଂସ୍ଥାର ଅପବ୍ୟବହାର କରି ‘ଭୋଟ ଚୋରି’ କରୁଛନ୍ତି।

“ବିହାର ଓ ପଶ୍ଚିମବଙ୍ଗ ପରେ ଏବେ ବିଜେପି ତେଲେଙ୍ଗାନାରେ ‘ଭୋଟ ଚୋରି’ ପାଇଁ ଯୋଜନା କରିଛି। ରାଜ୍ୟର ୩.୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୯୩ ଲକ୍ଷ ଭୋଟରଙ୍କ ନାମ କାଟିବାକୁ ସ୍ୱତନ୍ତ୍ର ସଂଶୋଧନ (SIR) ଜରିଆରେ ଷଡ଼ଯନ୍ତ୍ର କରାଯାଉଛି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମର ଏହି ଲଢ଼େଇ ଜାରି ରହିବ।”

ପ୍ରତିବାଦକାରୀମାନେ ‘Vote Chor Gyanesh Kumar’ ଏବଂ ‘Impeach Gyanesh Kumar’ ଲେଖାଥିବା ବ୍ୟାନର ଧରି କେନ୍ଦ୍ର ସରକାର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ତୀବ୍ର ନାରାବାଜି କରିଥିଲେ।