ଭୁବନେଶ୍ୱର:ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ବିରୋଧରେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ କଟକର ମୋଟ ୮ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ସମକାଳୀନ ଚଢ଼ାଉ କରାଯାଉଛି।
ସୁନ୍ଦରଗଡ଼ ବିଶେଷ ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୪ ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉ ପ୍ରକ୍ରିୟାରେ ସାମିଲ ଅଛନ୍ତି।
ଏହି ୮ଟି ସ୍ଥାନରେ ଚାଲିଛି ଚଢ଼ାଉ:
- ଭୁବନେଶ୍ୱର ନୟାପଲ୍ଲୀ: “ଶ୍ରାବଣୀ ରେସିଡେନ୍ସି”ର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍ ନଂ-୮।
- ମଞ୍ଚନାଥ ଭିଲ୍ଲା (ପ୍ଲଟ୍ ନଂ-୬୦୯/୨୦୧୨): ଭୁବନେଶ୍ୱର ପେଜ୍-୨, M-105 ସ୍ଥିତ ଦୁଇମହଲା କୋଠା।
- ମଞ୍ଚନାଥ ଭିଲ୍ଲା (ପ୍ଲଟ୍ ନଂ-୬୦୪/୨୦୧୧): ଭୁବନେଶ୍ୱର ପେଜ୍-୨, M-110 ସ୍ଥିତ ଆଉ ଏକ ଦୁଇମହଲା କୋଠା।
- ବାଲିଅନ୍ତା (ପୈତୃକ ସମ୍ପତ୍ତି): ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଅନ୍ତର୍ଗତ M-115 ସ୍ଥିତ ଦୁଇମହଲା ଭବନ।
- ବାଲିଅନ୍ତା ବାସଭବନ: ବାଲିଅନ୍ତାଠାରେ ଥିବା ଅନ୍ୟ ଏକ ଦୁଇମହଲା କୋଠା।
- ସୁନ୍ଦରଗଡ଼ କାର୍ଯ୍ୟାଳୟ: ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସରକାରୀ ଦପ୍ତର।
- ସୁନ୍ଦରଗଡ଼ ସରକାରୀ କ୍ୱାଟର: ସୁନ୍ଦରଗଡ଼ ସହରରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ବାସଭବନ।
- ଶାଶୂଘର (ବାଙ୍କୀ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ଶାଶୂଘର।
ଭିଜିଲାନ୍ସ ଟିମ୍ ପକ୍ଷରୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ ଏବଂ ସୁନାଗହଣାର ଆକଳନ କରାଯାଉଛି। ଚଢ଼ାଉ ଶେଷ ହେବା ପରେ ମୋଟ ଜବତ ସମ୍ପତ୍ତିର ପରିମାଣ ସମ୍ପର୍କରେ ସୂଚନା ମିଳିବ।




