ଭଦ୍ରକ: ସାରା ରାଜ୍ୟରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭଦ୍ରକ ଜିଲ୍ଲାର ଦୁଇଟି ପ୍ରମୁଖ କଲେଜରେ ନିର୍ବାଚନକୁ ବାତିଲ କରାଯାଇଛି। କ୍ୟାମ୍ପସରେ ସୁରକ୍ଷା ସମସ୍ୟା ଏବଂ ବିଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରୀପୋଖରୀସ୍ଥିତ ନାମୀ (+୩) ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ କରାଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନାମୀ ଡିଗ୍ରୀ କଲେଜ ପକ୍ଷରୁ ଜାରି ଏକ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଅପରିହାସ୍ୟ ଓ ସମ୍ବେଦନଶୀଳ ପରିସ୍ଥିତି କାରଣରୁ ଗତ ଅକ୍ଟୋବର ୭ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି।

ସେହିପରି ଭଦ୍ରକ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନିର୍ବାଚନ ବାତିଲ ସମ୍ପର୍କରେ ଏକ ନୋଟିସ୍ ଜାରି କରିଛନ୍ତି। କଲେଜ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷାଜନିତ କାରଣରୁ ଛାତ୍ର ସଂସଦ ପରାମର୍ଶଦାତା କମିଟିର ସର୍ବସମ୍ମତ ନିଷ୍ପତ୍ତି କ୍ରମେ ନିର୍ବାଚନ ବାତିଲ କରାଯାଇଛି।

ନିର୍ବାଚନ ବାତିଲ ଖବର ପ୍ରଚାରିତ ହେବା ପରେ ଭଦ୍ରକ ମହିଳା କଲେଜର ଛାତ୍ରୀମାନେ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ସେମାନେ ନାପସନ୍ଦ କରିବା ସହ ନିର୍ବାଚନ କରାଇବାକୁ ଦାବି କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କଲେଜ କ୍ୟାମ୍ପସରେ ବ୍ୟାପକ ପୁଲିସ ବଳ ମୋତୟନ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଶୁକ୍ରବାର (ଅକ୍ଟୋବର ୯) ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ହୋଇଥାନ୍ତା ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥାନ୍ତା। ମାତ୍ର ନାମାଙ୍କନ ଦାଖଲ ଦିନହିଁ ନିର୍ବାଚନ ବାତିଲ ହେବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।