ଭୁବନେଶ୍ୱର: ପାରାଦୀପର ଐତିହାସିକ ‘କଳିଙ୍ଗ ବାଲିଯାତ୍ରା’ ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରସିଦ୍ଧ ମହୋତ୍ସବ ସାତ ଦିନ ଧରି ଚାଲିବ ଏବଂ ଆବଶ୍ୟକତା ଅନୁଯାୟୀ ଯାତ୍ରାର ଅବଧିକୁ ବୃଦ୍ଧି କରାଯାଇପାରେ। ମହୋତ୍ସବର ସୁପରିଚାଳନା ଓ ପ୍ରସ୍ତୁତି ନେଇ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଗତବର୍ଷ ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବର ଆୟୋଜନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ପଠାଯିବାକୁ ନିଷ୍ପତ୍ତି ହୋଇଛି।
ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରାକୁ ପୂର୍ବ ଅପେକ୍ଷା ଆହୁରି ଆକର୍ଷଣୀୟ ଓ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଯୋଜନା କରାଯାଇଛି। ଅଧିକରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସପ୍ତାହବ୍ୟାପୀ ଚାଲିବାକୁ ଥିବା ସାଂସ୍କୃତିକ ମଞ୍ଚରେ ବଲିଉଡ୍ ଏବଂ ଅଲିଉଡ୍ର ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ସିଲ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏହି ବୈଠକରେ ସୂଚନା ଦେଇ କହିଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା କେବଳ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଯୁବପିଢ଼ିକୁ ଓଡ଼ିଶାର ଗୌରବମୟ ଇତିହାସ ସହ ଯୋଡ଼ିବାରେ ଏକ ପ୍ରମୁଖ ସେତୁ ସଦୃଶ କାର୍ଯ୍ୟ କରିଥାଏ।




