ଭୁବନେଶ୍ୱର: ଓଡ଼ିଶାରେ ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର୍ (TGT) ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ କରାଯାଇଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ସରକାରୀ ଚିଠିକୁ ସମ୍ପୂର୍ଣ୍ଣ ଜାଲ୍ ଓ ମିଥ୍ୟା ବୋଲି ଘୋଷଣା କରିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଶୁକ୍ରବାର ଦିନ ବିଭାଗ ପକ୍ଷରୁ ଏହି ସ୍ପଷ୍ଟୀକରଣ ଜାରି କରାଯିବା ସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଚାକିରି ଆଶାୟୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସୋସିଆଲ ମିଡିଆରେ ନଂ-୨୧୮୯୭/SME (ତାରିଖ: ଅକ୍ଟୋବର ୫, ୨୦୨୬) ବିଶିଷ୍ଟ ଏକ ନକଲି ଚିଠି ଭାଇରାଲ୍ ହେବାରେ ଲାଗିଥିଲା। ଏହି ଚିଠିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ଅଧୀନରେ ଥିବା ସାମାଜିକ ବିଜ୍ଞାନ, ଗଣିତ, ବିଜ୍ଞାନ, ଓଡ଼ିଆ, ଇଂରାଜୀ ଏବଂ କମ୍ପ୍ୟୁଟର ଶିକ୍ଷକ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ସର୍ତ୍ତାବଳୀରେ ସରକାର ପରିବର୍ତ୍ତନ କରିଛନ୍ତି ବୋଲି ଦାବି କରାଯାଇଥିଲା।

ଏହି ଭ୍ରାନ୍ତସୃଷ୍ଟିକାରୀ ଖବରକୁ ନେଇ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଆଶଙ୍କା ପ୍ରକାଶ ପାଇଥିଲା।

ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଚିଠି କିମ୍ବା ନିର୍ଦ୍ଦେଶନାମା ଜାରି କରାଯାଇନାହିଁ। ଭାଇରାଲ୍‌ ହେଉଥିବା ଦଲିଲଟି ସମ୍ପୂର୍ଣ୍ଣ ଜାଲ୍‌ ଓ ଚଞ୍ଚକତାପୂର୍ଣ୍ଣ।

“ନିଯୁକ୍ତି ସମ୍ପର୍କିତ ସମସ୍ତ ବିଜ୍ଞପ୍ତି, ଶିକ୍ଷାଗତ ଯୋଗ୍ୟତା ଓ ପରିବର୍ତ୍ତନ ସମ୍ବନ୍ଧୀୟ ସୂଚନା ପାଇଁ ଆଶାୟୀମାନେ କେବଳ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ଏବଂ OAVSର ଅଫିସିଆଲ୍‌ ୱେବସାଇଟ୍‌ ସେକ୍ସନ୍‌ ଅନୁଧ୍ୟାନ କରନ୍ତୁ। କୌଣସି ଅନଧିକୃତ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କିମ୍ବା ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।”

ରାଜ୍ୟ ସରକାର ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ପ୍ରସାରିତ ହେଉଥିବା ଏହି ଭ୍ରାମକ ସୂଚନା ବିରୋଧରେ କଡ଼ା ନଜର ରଖିଛନ୍ତି।