ପିପିଲି: ଆସନ୍ତା ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୁଣି ସାମ୍ନାକୁ ଆସିଛି ଗୋଷ୍ଠୀ ସଂଘର୍ଷ। ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ବିଜେବି ସ୍ୱୟଂଶାସିତ କଲେଜର ଜଣେ ସଭାପତି ପ୍ରାର୍ଥୀ ପିପିଲି ଅଞ୍ଚଳରେ ହୋଇଥିବା ଏକ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଜଣକ ଆର୍ୟନ ବୋଲି ଚିହ୍ନଟ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ନିର୍ବାଚନୀ ପ୍ରଚାର ପରେ ଆର୍ୟନ ଏବଂ ତାଙ୍କର ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ସମର୍ଥକ ପିପିଲି ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ଏକ ପଡ଼ିଆରେ ଭୋଜିର ଆୟୋଜନ କରିଥିଲେ। ଏହି ସମୟରେ ବିଜେବି କଲେଜର ଅନ୍ୟ ଜଣେ ଛାତ୍ର ନିଜର ୫ରୁ ୬ ଜଣ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ।

ମନ୍ଦିର ପରିସର ନିକଟରେ ଆମିଷ ଖାଦ୍ୟ ପ୍ରସ୍ତୁତିକୁ ନେଇ ନୂଆ କରି ଆସିଥିବା ଯୁବକମାନେ ଆପତ୍ତି ଜଣାଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥାବାର୍ତ୍ତା ଉଗ୍ର ରୂପ ନେଇଥିଲା ଏବଂ ଦେଖୁ ଦେଖୁ ମାରପିଟ୍ ଆରମ୍ଭ ହୋଇଯାଇଥିଲା। ଏହି ଆକ୍ରମଣରେ ଆର୍ୟନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।

ଆହତ ଆର୍ୟନଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ମାତ୍ର ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ପିପିଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଂଘର୍ଷରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।