କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଅଗ୍ନିଶମ ସେବା ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ସୁଜିତ ବୋଷଙ୍କୁ ଏଥର ଦୁର୍ଗାପୂଜା ଜେଲ୍ କାନ୍ଥ ପଛରେ କାଟିବାକୁ ପଡ଼ିବ। ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁଜିତଙ୍କ ଜାମିନ ଆବେଦନକୁ ମଙ୍ଗଳବାର କଲିକତା ହାଇକୋର୍ଟ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି।

ହାଇକୋର୍ଟର ବିଚାରପତି ଜଷ୍ଟିସ ତୀର୍ଥଙ୍କର ଘୋଷଙ୍କ ଏକକ ଖଣ୍ଡପୀଠ ସୁଜିତଙ୍କ ଜାମିନ ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ଜାମିନ ନାକଚ କରିବା ନେଇ କୋର୍ଟଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନାହିଁ।

କୋଲକାତା ଉପକଣ୍ଠ ଲେକ୍ ଟାଉନ୍‌ସ୍ଥିତ ପ୍ରସିଦ୍ଧ ‘ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ୍’ର ଗ୍ରାଣ୍ଡ ଦୁର୍ଗାପୂଜାର ମୁଖ୍ୟ ପୃଷ୍ଠପୋଷକ ହେଉଛନ୍ତି ସୁଜିତ ବୋଷ। ପ୍ରତିବର୍ଷ ଏହି ପୂଜାର ସମସ୍ତ ଆୟୋଜନ ଓ ପରିଚାଳନା ସୁଜିତଙ୍କ ପ୍ରତ୍ୟକ୍ଷ ନଜରରେ ହୋଇଥାଏ। ତେବେ ଜାମିନ ଆବେଦନ ଖାରଜ ହେବା ପରେ ଏଥର ସେ ନିଜ ହାତରେ ଗଢ଼ିଥିବା ଏହି ଭବ୍ୟ ପୂଜା ଉତ୍ସବରେ ସାମିଲ ହୋଇପାରିବେ ନାହିଁ।

ଏହା ପୂର୍ବରୁ ଅଗଷ୍ଟ ମାସରେ ହାଇକୋର୍ଟର ଅନ୍ୟ ଜଣେ ବିଚାରପତି ଜଷ୍ଟିସ ଶୁଭ୍ରା ଘୋଷ ଏହି ମାମଲାର ଶୁଣାଣି ଶେଷ କରିବା ପରେ ମଧ୍ୟ ରାୟ ପ୍ରକାଶରୁ ନିଜକୁ ଓହରାଇ ନେଇଥିଲେ। ସୁଜିତଙ୍କ ଜଣେ ଆଇନଜୀବୀ ବିଚାରପତିଙ୍କ ଅନୁପସ୍ଥିତିରେ ତାଙ୍କ ଚାମ୍ବରକୁ ଯାଇ ପର୍ସନାଲ ସେକ୍ରେଟରୀଙ୍କୁ କେସ୍ ଫାଇଲ୍ ମାଗିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ ମାମଲାରୁ ଓହରି ଯାଇଥିଲେ। ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତପବ୍ରତ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ମାମଲାଟି ଜଷ୍ଟିସ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ସାଉଥ୍ ଡମ୍ ଡମ୍ ପୌରପାଳିକାରେ ବେଆଇନ ଭାବେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ନାମ ସୁପାରିଶ କରିବା ଅଭିଯୋଗରେ ଗତ ମେ ୧୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଜିତ ବୋଷଙ୍କୁ ଗିରଫ କରିଥିଲା।

ଇଡିର ଅଭିଯୋଗ ଅନୁଯାୟୀ, ସୁଜିତ ପ୍ରାୟ ୧୫୦ ଜଣ ଚାକିରି ଆଶାୟୀଙ୍କ ନାମ ସୁପାରିଶ କରିଥିଲେ। ଏହି ନିଯୁକ୍ତି ଦୁର୍ନୀତିରୁ ଆଦାୟ ହୋଇଥିବା ବେଆଇନ ଅର୍ଥ ସୁଜିତ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ତଦନ୍ତକାରୀ ସଂସ୍ଥା ଦାବି କରିଛି।