ବରଗଡ଼: ଓଡ଼ିଶାର ସାଂସ୍କୃତିକ ଗୌରବ ତଥା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୮ତମ ସଂସ୍କରଣ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ୧୧ ଦିନିଆ ମୁକ୍ତାକାଶ ରଙ୍ଗମଞ୍ଚ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ବରଗଡ଼ ସହର ପୁଣିଥରେ ପୌରାଣିକ ମଥୁରା ନଗରୀରେ ପରିଣତ ହୋଇ ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ।

ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଉପଦେଷ୍ଟା ଏବଂ କାର୍ଯ୍ୟକାରୀ କମିଟିର ବୈଠକରେ ଏହି ତାରିଖ ଚୂଡ଼ାନ୍ତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ହିସାବ ସମୀକ୍ଷା କରାଯିବା ସହ ଆଗାମୀ ଯାତ୍ରାର ସଫଳ ଆୟୋଜନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ଦ୍ୱାରା ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ମାନ୍ୟତା ପ୍ରାପ୍ତ ଏହି ଉତ୍ସବରେ ସମ୍ପୂର୍ଣ୍ଣ ବରଗଡ଼ ସହର ‘ମଥୁରା ନଗରୀ’ରେ ପରିଣତ ହେଉଥିବା ବେଳେ ନିକଟସ୍ଥ ଆମ୍ବପାଲି ଗ୍ରାମ ‘ଗୋପପୁର’ ସାଜିଥାଏ। ଏହାସହ ଜୀରା ନଦୀକୁ ଯମୁନା ନଦୀ ଭାବେ କଳ୍ପନା କରାଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ପୌରାଣିକ କାହାଣୀକୁ ଜୀବନ୍ତ ଭାବେ ରଙ୍ଗମଞ୍ଚରେ ପ୍ରଦର୍ଶିତ କରାଯାଏ।

୧୧ ଦିନ ଧରି ଚାଲୁଥିବା ଏହି ଯାତ୍ରା ସମୟରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସହରର ଶାସନ ଭାର ଗ୍ରହଣ କରନ୍ତି ଏବଂ ନିଜର ନିୟମ ଜାରି କରନ୍ତି। ବରଗଡ଼ର ଏହି ପାରମ୍ପରିକ ଓ ଐତିହାସିକ ଉତ୍ସବକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଆଗାମୀ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।