ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜଭବନରେ ପହଞ୍ଚି ପୁର୍ବ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତିଙ୍କୁ ଏକ ଭବ୍‌ବ୍ୟ ଏବଂ ଆବେଗପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ରାଜ୍ୟର ବିକାଶ ଯାତ୍ରାରେ ତାଙ୍କର ମୂଲ୍ୟବାନ ଅବଦାନ ଏବଂ ମାର୍ଗଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପକ୍ଷରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ବିଦାୟ କ୍ଷଣର ଫଟୋ ଓ ବାର୍ତ୍ତା ସେୟାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, “ଆଜି ଆମେ ବିଦାୟୀ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତିଜୀଙ୍କୁ ଭେଟି ବିଦାୟ ଦେଇଛୁ। ଓଡ଼ିଶାର ଜନସାଧାରଣଙ୍କ ପକ୍ଷରୁ, ରାଜ୍ୟର ବିକାଶ ପଥରେ ତାଙ୍କର ମାର୍ଗଦର୍ଶନ ଏବଂ ମୂଲ୍ୟବାନ ଅବଦାନ ପାଇଁ ମୁଁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।”

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ ତାଙ୍କୁ ସୁସ୍ଥ ଓ ପ୍ରସନ୍ନ ରଖନ୍ତୁ।

ଆନ୍ଧ୍ରପ୍ରଦେଶର ପୂର୍ବତନ ବିଜେପି ସାଂସଦ ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି ୨୦୨୫ ଜାନୁଆରୀ ୩ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଓଡ଼ିଶାରେ ରାଜ୍ୟରେ ନୂତନ ବିଜେପି ସରକାର ଗଠନ ହେବା ପରେ ତାଙ୍କର କାର୍ଯ୍ୟକାଳ ସରକାରଙ୍କ ସହ ସୁନ୍ଦର ସମନ୍ୱୟ ରକ୍ଷା କରି ଚାଲିଥିଲା। ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ପ୍ରଶାସନିକ ସ୍ୱଚ୍ଛତା ଦିଗରେ ତାଙ୍କର ଭୂମିକା ପ୍ରଶଂସନୀୟ ଥିଲା।

ବିଦାୟୀ ରାଜ୍ୟପାଳଙ୍କୁ ଭେଟିବା ପାଇଁ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ବହୁ ବରିଷ୍ଠ ମନ୍ତ୍ରୀ ମଧ୍ୟ ରାଜଭବନରେ ପହଞ୍ଚି ତାଙ୍କୁ ଶୁଭେ୍ଚା ଜଣାଇଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକ୍ଟୋବର ୧୨ ତାରିଖରେ ଦେଶର ୬ ଜଣ ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଏହି କ୍ରମରେ ଝାରଖଣ୍ଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି। ସେ ଶୀଘ୍ର ହିଁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।