ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଥିବା ସମୟରେ କ୍ୟାମ୍ପସରୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି। ଇପ୍ସିତାଙ୍କୁ ଆଟକ ରଖାଯିବା ଖବର ପ୍ରଚାରିତ ହେବା ପରେ ବିସିଜେଡିର ଶତାଧିକ ଛାତ୍ରୀ କ୍ୟାମ୍ପସ ପରିସରରେ ଆନ୍ଦୋଳନ ଓ ହଙ୍ଗାମା କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସଭାପତି ପ୍ରାର୍ଥୀଙ୍କ ସହ ଦୁର୍ବ୍ୟବହାର ଏବଂ ଠେଲାପେଲା କରିବା ନେଇ ଶହୀଦ ନଗର ଥାନାରେ ଏକ ଏତଲା ଦାୟର ହୋଇଥିଲା। ତେବେ ଏହି ଅଭିଯୋଗ ଆଧାରରେ ତାଙ୍କୁ ଅଟକ ରଖାଯାଇଛି ନା ନିର୍ବାଚନୀ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ସେ ନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
ଶହୀଦ ନଗର ଥାନାରେ ଦାୟର ହୋଇଥିବା ଏତଲା ଅନୁଯାୟୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିର୍ବାଚନରେ ABVP ସଭାପତି ପ୍ରାର୍ଥୀ ପ୍ରତୀକ୍ଷା ଦାଶ ମହାପାତ୍ର ଏବଂ ଅନ୍ୟ ତିନିଜଣ ଛାତ୍ରୀ ସକାଳ ପ୍ରାୟ ୭ଟା ସମୟରେ ଆଇଜି ହଷ୍ଟେଲକୁ ଜଣେ ଅସୁସ୍ଥ ଭଉଣୀଙ୍କୁ ଦେଖିବାକୁ ଯାଇଥିଲେ।
ସେଠାରେ BCJD ସଭାନେତ୍ରୀ ଇପ୍ସିତା ସାହୁ ଏବଂ BCJD ସଭାପତି ପ୍ରାର୍ଥୀ ଫାତିମା ଖାତୁନ୍ ସେମାନଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ ଏବଂ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଭୋଟଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ BCJD ସଭାନେତ୍ରୀଙ୍କୁ ପୁଲିସ ଉଠାଇ ନେବାକୁ ନେଇ ବିସିଜେଡି ଛାତ୍ରୀମାନେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ପକ୍ଷପାତମୂଳକ ବୋଲି ଅଭିଯୋଗ କରିଛନ୍ତି। ସେମାନେ ନିର୍ବାଚନୀ କାର୍ଯ୍ୟରେ ବାଧା ଦେବା ପାଇଁ ଏହା ଚକ୍ରାନ୍ତ ବୋଲି କହିବା ସହ ତୁରନ୍ତ ଇପ୍ସିତାଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି।
ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପୁଲିସ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା ଚଳାଇଛି।




