ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜନୀତି ମଇଦାନରୁ ରଙ୍ଗମଞ୍ଚର ପରଦା, ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ତଥା ଓଡ଼ିଶାର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲା ମୈଦାନରେ ଚାଲିଥିବା ପ୍ରସିଦ୍ଧ ‘ଲବ-କୁଶ ରାମଲୀଳା’ରେ ସେ ନିଷାଦରାଜ ଗୁହଙ୍କ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ମନ୍ତ୍ରମୁଗ୍ଧ କରିଛନ୍ତି।

ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ଅଭିନୟରେ ଜୁଏଲ ଓରାମ ରାମାୟଣର ସେହି ପ୍ରସିଦ୍ଧ ପ୍ରସଙ୍ଗକୁ ଜୀବନ୍ତ କରିଥିଲେ, ଯେଉଁଥିରେ ବନବାସ ସମୟରେ ପ୍ରଭୁ ଶ୍ରୀରାମଙ୍କୁ ଜନଜାତି ରାଜା ନିଷାଦରାଜ ଗୁହ ଅତ୍ୟନ୍ତ ଆଦର ଓ ଶ୍ରଦ୍ଧାର ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅଭିନୟ ଅନୁଭୂତି ସମ୍ପର୍କରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ଏହି ମହାନ ନାଟକର ଏକ ଅଂଶ ହେବା ତାଙ୍କ ପାଇଁ ଗୌରବର ବିଷୟ।

ସେ କହିଛନ୍ତି, “ମୋତେ ଜଙ୍ଗଲର ରାଜା ତଥା ଆଦିବାସୀ ଓ ପଛୁଆ ବର୍ଗର ନେତା ନିଷାଦରାଜଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିବାରୁ ମୁଁ ଲବ-କୁଶ ରାମଲୀଳା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ବନବାସ ସମୟରେ ପ୍ରଭୁ ଶ୍ରୀରାମ ଆସିବା ପରେ ତାଙ୍କୁ ସ୍ୱାଗତ କରିବା ଏବଂ ପରଦିନ ସକାଳେ ତାଙ୍କୁ ବିଦାୟ ଦେବା ମୋର ଭୂମିକା ଥିଲା। ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବା ମୋ ପାଇଁ ଏକ ଶ୍ରେଷ୍ଠ ଅନୁଭୂତି।”

ନିଜର ଅଭିନୟ ବିଷୟରେ ଆହୁରି କହିଛନ୍ତି ଯେ, “ମୁଁ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବାରୁ ଏବଂ ନିଷାଦରାଜଙ୍କ ପରମ୍ପରାର ଦାୟାଦ ହୋଇଥିବାରୁ ତାଙ୍କର କିଛି ଅଂଶ ନିଶ୍ଚିତ ଭାବେ ମୋ ଭିତରେ ରହିଛି। ମୁଁ ମୋର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଛି ଏବଂ ମୁଁ ଆଶାବାଦୀ ଯେ ଦର୍ଶକମାନେ ଏହାକୁ ପସନ୍ଦ କରିବେ।”

ନିଜର ସାଂସଦ ଓ ମନ୍ତ୍ରୀ ହେବା ଯାତ୍ରାକୁ ମନେ ପକାଇ ଜୁଏଲ ଓରାମ କହିଛନ୍ତି ଯେ, ସେ ଭାଗ୍ୟବଶତଃ ରାଜନୀତିରେ ପ୍ରବେଶ କରିଥିଲେ। କେବଳ ନିର୍ବାଚନ ଲଢ଼ି ଦଳ ପାଇଁ କାମ କରିବା ସେ ଭାବିଥିଲେ, କିନ୍ତୁ ଜନସାଧାରଣଙ୍କ ଭଲପାଇବା ଓ ଦଳର ବିଶ୍ୱାସ ଯୋଗୁଁ ସେ ଆଜି ଏହି ଶୀର୍ଷ ପଦବୀରେ ପହଞ୍ଚିପାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଲାଲ୍‌କିଲ୍ଲା ମୈଦାନରେ ଆୟୋଜିତ ହେଉଥିବା ଲବ-କୁଶ ରାମଲୀଳା ସାରା ଦେଶରେ ପ୍ରସିଦ୍ଧ। ଏଥିରେ ପ୍ରତିବର୍ଷ ଦେଶର ବହୁ ପ୍ରସିଦ୍ଧ ରାଜନେତା, ଅଭିନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ବିଭିନ୍ନ ପୌରାଣିକ ଚରିତ୍ରରେ ଅଭିନୟ କରିଥାନ୍ତି।