ପୁରୀ: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଚାଲିଥିବା ବେଳେ ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଗୁରୁବାର କଲେଜ କ୍ୟାମ୍ପସ ଭିତରେ ଦୁର୍ବୃତ୍ତମାନେ ବୋମା ବିସ୍ଫୋରଣ କରିବାରୁ ସେଠାରେ ଭୟ ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କଲେଜ ପରିସରରେ ପ୍ରାୟ ୮ରୁ ୧୦ଟି ବୋମା ଫିଙ୍ଗାଯାଇଥିଲା, ଯାହାକି ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ତିଆରି କରିଥିଲା।
ପ୍ରାପ୍ତ ଖବର ଅନୁଯାୟୀ, କଲେଜ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭୋଟ୍ ଜରିଆରେ ନିର୍ବାଚନ କରାଇବା ବଦଳରେ ମନୋନୟନ ଜରିଆରେ ନେତା ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ। କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିରେ କିଛି ଛାତ୍ର ଅସନ୍ତୁଷ୍ଟ ହୋଇ ପାଟିତୁଣ୍ଡ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏଭଳି ଭୟାବହ ବୋମାବାଜି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ବୋମାବାଜି ଘଟଣା ପରେ ପରିସ୍ଥିତି ଅତିମାତ୍ରାରେ ଅଶାନ୍ତ ହୋଇପଡ଼ିବାରୁ କଲେଜ କର୍ତ୍ତୃପକ୍ଷ ବାଧ୍ୟ ହୋଇ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। କ୍ୟାମ୍ପସରେ ଆଉ କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।




