ଭୁବନେଶ୍ୱର: ଓଡ଼ିଶାର ସମୁଦାୟ ୩୫୯ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ବୁଧବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ମତଦାନରେ ଅଂଶଗ୍ରହଣ କରିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ କେବଳ କିଛି ପ୍ରତିନିଧି ଚୟନ କରିବାର ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରର ପ୍ରକୃତ ନୀତିକୁ ଜୀବନ୍ତ କରିବା ଏବଂ ଭବିଷ୍ୟତର ନେତୃତ୍ୱ ଗଠନ କରିବାର ଏକ ବଡ଼ ପ୍ଲାଟଫର୍ମ ଅଟେ।

“ହିଂସା ଓ ଅପପ୍ରଚାରଠାରୁ ଦୂରେଇ ରୁହନ୍ତୁ”

ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ମୋର ପ୍ରିୟ ଛାତ୍ରଛାତ୍ରୀ ଏବଂ ବନ୍ଧୁଗଣ, ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ଶୃଙ୍ଖଳା ଏବଂ ଆଦର୍ଶ ପ୍ରଦର୍ଶନ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ଏବଂ ଦେଶକୁ ଏକ ନୂତନ ଦିଗ ଦେବ। ତେଣୁ କୌଣସି ପ୍ରକାର ହିଂସା, ଅପପ୍ରଚାର କିମ୍ବା ଭ୍ରମରେ ନପଡ଼ି ଏହି ନିର୍ବାଚନରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଭାଗ ନିଅନ୍ତୁ।”

ସେ କେବଳ ପ୍ରାର୍ଥୀମାନଙ୍କୁ ନୁହେଁ, ବରଂ ସମସ୍ତ ଛାତ୍ରଛାତ୍ରୀ ଏବଂ ଯୁବ ପ୍ରତିନିଧିମାନଙ୍କୁ ଏହି ଗଣତନ୍ତ୍ରର ମହୋତ୍ସବରେ ସାମିଲ ହେବା ପାଇଁ ହାର୍ଦ୍ଦିକ ଶୁଭେଛା ଜଣାଇଛନ୍ତି।

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ନିର୍ବାଚନକୁ ନେଇ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। କ୍ୟାମ୍ପସରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ କରାଯାଇଛି, ଯାହାଫଳରେ ଭୋଟଗ୍ରହଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇପାରିବ।