ନୂଆଦିଲ୍ଲୀ: ପଞ୍ଜାବରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନିଶା କାରବାର ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟୟକୁ ନେଇ ଆମ୍ ଆଦ୍‌ମୀ ପାର୍ଟି ସରକାରଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ପଞ୍ଜାବକୁ ଡ୍ରଗ୍ସ ମାଫିଆଙ୍କ କବଳରୁ ମୁକ୍ତ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସେଠାକାର ନାଗରିକଙ୍କ ସୁରକ୍ଷା ପାଇଁ ସରକାରଙ୍କ ଜବାବଦିହିତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ମାନସା ଜିଲ୍ଲାରେ ଡ୍ରଗ୍ସ ବିରୋଧୀ ସାମାଜିକ କର୍ମୀ ପରବିନ୍ଦର ସିଂହ ଝୋଟାଙ୍କ ନିର୍ମମ ହତ୍ୟା ଏବଂ ଗୁରୁଦାସପୁରରେ ୪୦ ବର୍ଷୀୟ ବିକ୍ରମଜିତ ସିଂହଙ୍କ ହତ୍ୟାକାଣ୍ଡକୁ ଉଦ୍ଧୃତ କରି ନିତିନ ନବୀନ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି ଯେ, “ପଞ୍ଜାବରେ ନିଶା କାରବାର ଏବଂ ଅପରାଧ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଡ୍ରଗ୍ସ ବିରୋଧରେ ସ୍ୱର ଉଠାଉଥିବା ସାମାଜିକ କର୍ମୀଙ୍କୁ ଯଦି ଜୀବନର ଭୟ ରହୁଛି, ତେବେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ସ୍ପଷ୍ଟ ହେଉଛି।”

ଅନ୍ୟପଟେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ପଞ୍ଜାବର ଭଗବନ୍ତ ମାନ ସରକାରଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବ ଆଜି ନିଶା କାରବାର, ଗ୍ୟାଙ୍ଗଷ୍ଟର କଲଚର ଏବଂ ସଙ୍ଗଠିତ ଅପରାଧ ଦ୍ୱାରା ଅଶାନ୍ତ ହୋଇପଡ଼ିଛି।

ଦିର୍ବା ଏବଂ ମାନସା ଘଟଣାକୁ ଗୁରୁତର ସହ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ମାନସାରେ ଦିନଦ୍ୱିପ୍ରହରରେ ପରବିନ୍ଦର ସିଂହ ଝୋଟାଙ୍କ ହତ୍ୟା ପଛରେ ଆପ୍‌ ସରକାର ଏବଂ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ମୃତକଙ୍କ ପରିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଦୁଇଟିଯାକ ଘଟଣା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ଓ ଜବାବ ମାଗିବ ବୋଲି ଶାହ ସ୍ପଷ୍ଟ କରିଛନ୍ତି।