ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚଢ଼ାଉ କରି କଟକ ଜଗତପୁରସ୍ଥିତ ମହାନଦୀ ନଦୀ ବନ୍ଧ ଉତ୍ତର ସର୍କଲର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (ସୁପରବାଇଜିଂ ଇଞ୍ଜିନିୟର) ପ୍ରସନ୍ନଜିତ୍ ଦାସଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ତାଙ୍କ ପାଖରୁ ସମୁଦାୟ ୨୧,୮୮,୬୨୦ ଟଙ୍କାର ଅଘୋଷିତ ନଗଦ ଅର୍ଥ ଜବତ କରାଯାଇଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ଭିଜିଲାନ୍ସ ଟିମ୍ ଗତକାଲି ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ତାଙ୍କର ସରକାରୀ ଭଡ଼ା ଗାଡ଼ି (ବୋଲେରୋ) କୁ କାବୁ କରିଥିଲା। ସେହି ସମୟରେ ତାଙ୍କ ନିକଟରୁ ୭,୨୮,୬୨୦ ଟଙ୍କା ମିଳିଥିଲା, ଯାହାର ସେ କୌଣସି ବୈଧ ହିସାବ ଦେଇପାରି ନଥିଲେ।
ଏଜି ଛକରେ ଗାଡ଼ି ଯାଞ୍ଚ ପରେ ଶନିବାର ଭୋର ସମୟରୁ ପ୍ରସନ୍ନଜିତ୍ ଦାସଙ୍କ ଦୁଇଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଘାଟିକିଆସ୍ଥିତ ‘ଟ୍ରାଇଡେଣ୍ଟ ଗାଲାକ୍ସି’ ଆପାର୍ଟମେଣ୍ଟର ଫ୍ଲାଟ୍ ନଂ D-401 ଭଡ଼ାଘର ଏବଂ ବଡ଼ଗଡ଼ସ୍ଥିତ ତାଙ୍କ ନିଜ ଘରେ ଏହି ଯାଞ୍ଚ କରାଯାଇଥିଲା। ଘାଟିକିଆସ୍ଥିତ ଭଡ଼ା ଫ୍ଲାଟ୍ରୁ ଅତିରିକ୍ତ ୧୪,୬୦,୦୦୦ ଟଙ୍କା ନଗଦ ଜବତ ହୋଇଥିଲା। ଫଳରେ ସମୁଦାୟ ଜବତ ଅର୍ଥର ପରିମାଣ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଛି।
ଏହି ସମସ୍ତ ଅର୍ଥର କୌଣସି ସନ୍ତୋଷଜନକ ଆୟର ସ୍ରୋତ ଦର୍ଶାଇ ନପାରିବାରୁ ଭିଜିଲାନ୍ସ ସମସ୍ତ ଟଙ୍କାକୁ ଜବତ କରିଛି। ପ୍ରସନ୍ନଜିତ୍ଙ୍କୁ ଅଟକ ରଖାଯାଇ ପଚରାଉଚୁରା ଜାରି ରହିଛି। ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।




