ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ପଟାଖମଣ ଗ୍ରାମ ନିକଟସ୍ଥ ରେଳଧାରଣା ଓ ରାସ୍ତା କଡ଼ରେ ଏକ ବିରାଟ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ସୋମବାର ରାତି ପ୍ରାୟ ୮ଟାରୁ ୯ଟା ମଧ୍ୟରେ ଏହି ବିଶାଳକାୟ ସରୀସୃପଟିକୁ ଗ୍ରାମବାସୀ ଦେଖିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି ହୋଇଛି।
ସ୍ଥାନୀୟ ଗ୍ରାମବାସୀ ରାଜୁ ପ୍ରଧାନଙ୍କ କହିବା ଅନୁଯାୟୀ, ସେ ନିଜ ଜମିରୁ କାମ ସାରି ଫେରୁଥିବା ବେଳେ ରେଳଧାରଣା ନିକଟରେ କୁମ୍ଭୀରଟିକୁ ଦେଖିଥିଲେ। ସେହି ସମୟରେ ରେଢ଼ାଖୋଲ ପଟୁ ଏକ ଟ୍ରେନ୍ ଆସୁଥିବାରୁ ଗ୍ରାମବାସୀମାନେ ପାଟିତୁଣ୍ଡ କରିବାରୁ କୁମ୍ଭୀରଟି ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା।କୁମ୍ଭୀରଟିର ଲମ୍ବ ପ୍ରାୟ ୭ରୁ ୮ ଫୁଟ୍ ହେବ ବୋଲି ଅନୁମାନ କରାଯାଉଛି।
ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଚିହ୍ନଟ କରି ନିରାପଦରେ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ତେବେ ଲୋକାଳୟ ଓ ରେଳଧାରଣା ନିକଟକୁ କୁମ୍ଭୀରଟି କିପରି ଆସିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଜମିକୁ ଯାଉଥିବା ଚାଷୀ, ବାଟୋଇ ଏବଂ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। କୁମ୍ଭୀରଟିକୁ ଘେରିବା, ଧରିବାକୁ ଚେଷ୍ଟା କରିବା କିମ୍ବା ତା’ ନିକଟକୁ ଯିବାରୁ ନିବୃତ୍ତ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି।




