ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଦୁର୍ଗାପୂଜା ଓ ଭାସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକ୍ ବଜାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ କରାଯାଇଛି। ନିୟମ ଅମାନ୍ୟ କଲେ ଡିଜେ ସାଉଣ୍ଡ ସରଞ୍ଜାମ ଜବତ କରାଯିବା ସହ ସମ୍ପୃକ୍ତ ପୂଜା କମିଟି ଓ ଗାଡ଼ି ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଭୁବନେଶ୍ୱର ଡିସିପି ସରବଣ ବିବେକ୍ ଏମ୍ ମଙ୍ଗଳବାର ବାର୍ତ୍ତା ଦେଇଛନ୍ତି।
ଡିସିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୋଲିସ ପକ୍ଷରୁ ପୂଜା କମିଟି ଓ ଭାସାଣି ଆୟୋଜକମାନଙ୍କ ସହ ଦୁଇଟି ପୃଥକ୍ ବୈଠକ କରାଯାଇ ସମସ୍ତ ନିୟମାବଳୀ ବୁଝାଇ ଦିଆଯାଇଛି। ଡିଜେ ବଦଳରେ ପାରମ୍ପରିକ ବାଜା ଓ ଆଞ୍ଚଳିକ ସାଂସ୍କୃତିକ ବା his ବ୍ୟବହାର କରିବାକୁ ପୋଲିସ ପରାମର୍ଶ ଦେଇଛି ଏବଂ ଆୟୋଜକମାନେ ଏଥିରେ ସମ୍ମତି ପ୍ରକାଶ କରିଛନ୍ତି।
ଭୁବନେଶ୍ୱରର ୯ଟି ପ୍ରମୁଖ ସ୍ଥାନରେ ଆୟୋଜିତ ହେବାକୁ ଥିବା ‘ରାବଣ ପୋଡ଼ି’ ଉତ୍ସବ ପାଇଁ ପୋଲିସ ପକ୍ଷରୁ ଅନୁମତି ସହ ସ୍ୱତନ୍ତ୍ର ନିରାପତ୍ତା ଗାଇଡ୍ଲାଇନ୍ ଜାରି କରାଯାଇଛି।
- ରାବଣ ପୁତ୍ତଳିକା ଦାହ ସ୍ଥଳରୁ ଚାରିପାଖରେ ଅତିକମ୍ରେ ୧୦୦ ମିଟର ଦୂରତାରେ ଦର୍ଶକମାନେ ରହିବେ।
- ବାଣ ଗଚ୍ଛିତ ରଖିବା ସ୍ଥାନ ‘ରାବଣ ପୋଡ଼ି’ ପୀଠଠାରୁ ଅତିକମ୍ରେ ୨୫୦ ମିଟର ଦୂରରେ ରହିବ।
- ପ୍ରତ୍ୟେକ ରାବଣ ପୋଡ଼ି ସ୍ଥଳରେ ୨ ପ୍ଲାଟୁନ୍ ଲେଖାଏଁ ପୋଲିସ ଫୋର୍ସ ଏବଂ ଅଗ୍ନିଶମ ବାହିନୀ ମୁତୟନ ରହିବେ।
ଅନ୍ୟପଟେ, ବିସର୍ଜନ ଉତ୍ସବକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୬ଟି ସ୍ଥାନରେ ଅସ୍ଥାୟୀ ବିସର୍ଜନ ପୁଷ୍କରିଣୀ ନିର୍ମାଣ କରାଯାଇଛି। କୁଆଖାଇ ନଦୀକୂଳରେ ୩ଟି, ଦୟା ନଦୀକୂଳରେ ୧ଟି, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ନିକଟରେ ୧ଟି ଏବଂ ଚନ୍ଦକା ଅଞ୍ଚଳରେ ୧ଟି ଅସ୍ଥାୟୀ ପୋଖରୀ କରାଯାଇଛି।
ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୋଟ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଉତ୍ସବକୁ ଆନନ୍ଦ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ପୋଲିସ ଜନସାଧାରଣଙ୍କ ସହଯୋଗ କାମନା କରିଛି।




