ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ରୁ ପୁଣି ଏକ ବଡ଼ ଧରଣର ନିଶା ଦ୍ରବ୍ୟ ଜବତ ହୋଇଛି। ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ ର ସ୍ୱତନ୍ତ୍ର ଟିମ୍ ଅଭିଯାନ ଚଲାଇ ବ୍ୟାଙ୍କକରୁ ଆସୁଥିବା ଆନୁମାନିକ ୩ କୋଟି ଟଙ୍କା ମୂଲ୍ୟର ଆଡଭାନ୍ସଡ୍ ପ୍ରଜାତିର ବିଦେଶୀ ଗଞ୍ଜେଇ ଜବତ କରିବା ସହ ୩ ଜଣ ସନ୍ଦିଗ୍ଧ ଯାତ୍ରୀଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ବ୍ୟାଙ୍କକରୁ ଭୁବନେଶ୍ୱରରେ ପହଞ୍ଚିଥିବା ଇଣ୍ଡିଗୋ ବିମାନର ଯାତ୍ରୀଙ୍କ ଗତିବିଧିକୁ ନେଇ DRI ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ଯାଞ୍ଚ ସମୟରେ ତଦନ୍ତକାରୀ ସଂସ୍ଥାର ଆଖିରେ ଧୂଳି ଦେବା ପାଇଁ ଯାତ୍ରୀମାନେ ଖାଦ୍ୟ ପ୍ୟାକେଟ୍, ଚାକୋଲେଟ୍ ଡବା ଏବଂ ଟ୍ରୋଲି ବ୍ୟାଗ୍ ଭିତରେ କୌଶଳର ସହ ଲୁଚାଇ ରଖିଥିବା ଏହି ବିଦେଶୀ ମାରିଜୁଆନା ଜବତ କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ, ବିମାନବନ୍ଦରରେ ଓହ୍ଲାଇବା ପରେ ଏହି ସମସ୍ତ ବିଦେଶୀ ଗଞ୍ଜେଇକୁ ସଡ଼କ ପଥରେ ଭୁବନେଶ୍ୱରରୁ କୋଲକାତା ଚୋରା ଚାଲାଣ କରାଯିବାର ସ୍ପଷ୍ଟ ଯୋଜନା ରହିଥିଲା। ଅଟକ ରହିଥିବା ୩ ଜଣ ଯାତ୍ରୀଙ୍କୁ DRI ର ଏକ ସ୍ୱତନ୍ତ୍ର ଟିମ୍ ଗୁପ୍ତ ସ୍ଥାନରେ ରଖି ଜେରା କରୁଛି।
ଏହି ଅନ୍ତର୍ଜାତୀୟ ନିଶା ଚୋରା ଚାଲାଣ ରାକେଟ୍ର ମୂଳ ଚେର କେଉଁଠି, ବ୍ୟାଙ୍କକରେ ଏହା କିଏ ଯୋଗାଇଥିଲା ଏବଂ କୋଲକାତାରେ କେଉଁ ସିଣ୍ଡିକେଟ୍ ଏହାକୁ ଗ୍ରହଣ କରିଥାନ୍ତା, ସେ ନେଇ DRI ଅଧିକାରୀମାନେ ଅଧିକ ତଦନ୍ତ ଜାରି ରଖିଛନ୍ତି।




