କୋଲକାତା: ଶାରଦୀୟ ଦୁର୍ଗାପୂଜାର ଚୂଡ଼ାନ୍ତ ପର୍ବ ବିଜୟାଦଶମୀ ଅବସରରେ ବୁଧବାର ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଆନନ୍ଦ-ଉଲ୍ଲାସର ସହ ପାରମ୍ପରିକ ‘ସିନ୍ଦୂର ଖେଳ’ ରୀତିନୀତି ସମ୍ପନ୍ନ ହୋଇଛି। ଦଶମୀ ପୂଜା ଶେଷ ହେବା ପରେ ମା’ ଦୁର୍ଗାଙ୍କୁ ବିଦାୟ ଜଣାଇ ମହିଳାମାନେ ପରସ୍ପରର ମଥା ଓ ଗାଲରେ ସିନ୍ଦୂର ଲଗାଇ ପରିବାରର ସୁଖ, ସମୃଦ୍ଧି ଓ ସୁରକ୍ଷା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ନୂଆଦିଲ୍ଲୀର ଚିତ୍ତରଞ୍ଜନ ପାର୍କ ଏବଂ ଆରାମବାଗ ପୂଜା ସମିତି ମଣ୍ଡପରେ ଶହ ଶହ ମହିଳା ଏକାଠି ହୋଇ ସିନ୍ଦୂର ଖେଳିଥିଲେ। ପ୍ରବାସୀ ବଙ୍ଗାଳୀ ସମୁଦାୟର ମହିଳାମାନେ ଏକାଠି ହୋଇ ମା’ଙ୍କୁ ବିଦାୟ ଦେବା ସହ ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ପ୍ରସିଦ୍ଧ ମୁଦିଆଲି କ୍ଲବ୍ ଏବଂ ବୀରଭୂମି ଜିଲ୍ଲା ସମେତ ବିଭିନ୍ନ ପୂଜା ମଣ୍ଡପରେ ମହିଳାମାନେ ମା’ ଦୁର୍ଗାଙ୍କ ପାଦରେ ସିନ୍ଦୂର ଅର୍ପଣ କରିବା ପରେ ପରସ୍ପରକୁ ସିନ୍ଦୂର ଲଗାଇଥିଲେ।
ସେହିପରି ଦକ୍ଷିଣ ତ୍ରିପୁରାରେ ମଧ୍ୟ ମା’ଙ୍କ ବିସର୍ଜନ ପ୍ରସ୍ତୁତି ସହ ‘ସିନ୍ଦୂର ଖେଳ’ ଅନୁଷ୍ଠିତ ହୋଇଥିଲା। ପୁରୋହିତଙ୍କ ଦ୍ୱାରା ଦଶମୀ ବିସର୍ଜନ ନୀତି କରାଯିବା ପରେ ପାରମ୍ପରିକ ‘ଡାକ ଡୋଲ୍’ ରୀତି ଅନୁସାରେ ମହିଳାମାନେ ମା’ଙ୍କ ପବିତ୍ର ଘଟକୁ ପୁରୋହିତଙ୍କ ଘରକୁ ନେଇଥିଲେ।
ବଙ୍ଗଳା ହିନ୍ଦୁ ପରମ୍ପରାରେ ‘ସିନ୍ଦୂର ଖେଳ’ର ଏକ ବିଶେଷ ସାଂସ୍କୃତିକ ଗୁରୁତ୍ୱ ରହିଛି। ବିଶ୍ୱାସ ରହିଛି ଯେ, ଦୁର୍ଗାପୂଜା ସମୟରେ ମା’ ଦୁର୍ଗା ନିଜ ବାପଘରକୁ ଆସନ୍ତି ଏବଂ ବିଜୟାଦଶମୀ ଦିନ ସେ ପୁଣି ନିଜ ସ୍ୱାମୀ ପ୍ରଭୁ ଶିବଙ୍କ ପାଖକୁ କୈଳାସ ପର୍ବତକୁ ଫେରିଯାଆନ୍ତି।
ଝିଅକୁ ବାପଘରୁ ବିଦାୟ ଦେବା ଭଳି ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ମା’ଙ୍କୁ ସିନ୍ଦୂର ଓ ମିଠା ଦେଇ ବିଦାୟ ଦିଆଯାଇଥାଏ। ବିଜୟାଦଶମୀ ସହ ସମସ୍ତେ ପରସ୍ପରକୁ ବିଜୟା ଶୁଭେଚ୍ଛା ଜଣାଇ ଆଗାମୀ ବର୍ଷ ପାଇଁ ଶୁଭକାମନା ସାଉଁଟିଛନ୍ତି।




