ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ସକ୍ରିୟ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଏହି ସିଷ୍ଟମ ସାମାନ୍ୟ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଗତି କରୁଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୮ ତାରିଖରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ୪ଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ‘ରେଡ୍ ୱାର୍ଣ୍ଣିଂ’ଜାରି କରାଯାଇଛି।

IMDର ସକାଳ ୧୧:୩୦ର ଆକଳନ ଅନୁଯାୟୀ:

  • ଏହି ଗଭୀର ଅବପାତଟି ବିଶାଖାପାଟଣାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୮୭୦ କିଲୋମିଟର ଏବଂ ବାପଟ୍ଟଲାରୁ ପୂର୍ବ ଦିଗରେ ୧୧୩୦ କିଲୋମିଟର ଦୂରତାରେ କେନ୍ଦ୍ରୀଭୂତ ରହିଛି।
  • ସିଷ୍ଟମ୍‌ଟି ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।

ସମ୍ଭାବ୍ୟ ବାତ୍ୟା ଓ ଭୟଙ୍କର ବର୍ଷା ଆଶଙ୍କାରେ ବିଭିନ୍ନ ରାଜ୍ୟର ଜିଲ୍ଲାଗୁଡ଼ିକୁ ସରକାରୀ ସ୍ତରରେ ସତର୍କ କରାଯାଇଛି:

  • ଆନ୍ଧ୍ରପ୍ରଦେଶ: ୧୧ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
  • ଓଡ଼ିଶା: ୫ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
  • ଛତିଶଗଡ଼: ୪ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
  • ତେଲେଙ୍ଗାନା: ୪ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି।