ଭୁବନେଶ୍ୱର: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରୁ ଗୁଜରାଟର ଏକତା ନଗର ପାଇଁ ଏକ ବିଶେଷ ଟ୍ରେନ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଆସନ୍ତା ଅକ୍ଟୋବର ୩୧ ତାରିଖରେ ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରେ ଅନୁଷ୍ଠିତ ହେବାକୁ ଥିବା ‘ରାଷ୍ଟ୍ରୀୟ ଏକତା ଦିବସ’ ଜାତୀୟ ପରେଡ୍ରେ ଯୋଗଦେବା ପାଇଁ ରାଜ୍ୟର ୧୯ଟି ନକ୍ସଲ-ମୁକ୍ତ ଜିଲ୍ଲାରୁ ପ୍ରାୟ ୧,୦୦୦ ପ୍ରତିନିଧି ଏହି ଟ୍ରେନ୍ ଯୋଗେ ଗୁଜରାଟ ଯାତ୍ରା କରିଛନ୍ତି।
ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁଁ ୫୫୦ରୁ ଅଧିକ ଦେଶୀୟ ରାଜ୍ୟର ମିଶ୍ରଣ ହୋଇ ଆଜିର ଅଖଣ୍ଡ ଭାରତ ଗଠିତ ହୋଇପାରିଛି।
୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନଭାର ଗ୍ରହଣ କରିବା ପରଠାରୁ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲ-ମୁକ୍ତ ହୋଇ ବିକାଶ ପଥରେ ଆଗେଇ ଚାଲିଛି। ପୂର୍ବରୁ ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲାରେ ‘ଗ୍ରାମୋଦୟ ପ୍ଲସ୍’ ଯୋଜନା ମାଧ୍ୟମରେ କଲ୍ୟାଣକାରୀ ସେବା ଯୋଗାଇ ଦିଆଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପୁରୀରୁ ମୟୂରଭଞ୍ଜର ବାଦାମପାହାଡ଼ ପର୍ଯ୍ୟନ୍ତ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ମଞ୍ଜୁର କରିଛନ୍ତି।
ନଭେମ୍ବର ପ୍ରଥମ ସପ୍ତାହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ରାଜ୍ୟର ୬ଟି ପ୍ରମୁଖ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।




