ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ଜାରି ରହିଥିବା ପ୍ରବଳ ବର୍ଷା ଏବଂ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ରାୟଗଡ଼ା ଜିଲ୍ଲା ଗସ୍ତ କରି ବାତ୍ୟା ପ୍ରସ୍ତୁତି ଓ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସେ କ୍ଷେତ୍ରସ୍ତରୀୟ ସ୍ଥିତି ଅନୁଧ୍ୟାନ ସହ ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସହାୟତାର ତଦାରଖ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପଦ୍ମପୁର ବ୍ଲକ୍ ଡେରିଗାଁ ପଞ୍ଚାୟତର ସରୁପାଡ଼ୁ ଗ୍ରାମକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଓ ଜରୁରୀ ଆବଶ୍ୟକତା ବିଷୟରେ ପଚାରି ବୁଝିବା ସହ ସରକାରୀ ସହାୟତା ଯେପରି ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ବିନା ବିଳମ୍ବରେ ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ସେ ଜୟପାଙ୍ଗା ଗ୍ରାମରେ ସ୍ଥାପନ କରାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ପଦ୍ମପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ମୁତୁକୁଣି ଗ୍ରାମର କଚ୍ଚା ଘରେ ରହୁଥିବା ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଏହି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ହୋଇଥିବା ସୁବିଧାସୁଯୋଗର ତଦାରଖ କରିବା ସହ ସେଠାରେ ଦିଆଯାଉଥିବା ରନ୍ଧା ଖାଦ୍ୟର ଗୁଣବତ୍ତା ନିଜେ ଚାଖି ପରୀକ୍ଷା କରିଥିଲେ।

ଗସ୍ତ ସମୟରେ ଶ୍ରୀମତୀ ପରିଡ଼ା କେନ୍ଦୁଗୁଡ଼ାସ୍ଥିତ ବଡ଼ନାଳ ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ। ବାତ୍ୟା ଓ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଘର, ଫସଲ କ୍ଷତି ଏବଂ ଆବଶ୍ୟକୀୟ ସେବାସମୂହର ସୁଧାର ପାଇଁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ତଥା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ ପ୍ରଧାନ, ପଦ୍ମପୁର ବ୍ଲକ୍ ଉନ୍ନୟନ ଅଧିକାରୀ କୁରେଶୁ ଜାନୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।