ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ୭୭୫ ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ବୁଧବାର ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍‌ରୁ ଏହି ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଶୁଭାରମ୍ଭ କରିଥିଲେ।

ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସିର ସହଯୋଗରେ ଆୟୋଜିତ ଏହି ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସହାୟତା ଓ ଦେଖାଶୁଣା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଯାତ୍ରା ଶେଷ କରି ସେମାନେ ନଭେମ୍ବର ୨ ତାରିଖରେ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି।

୬ ଜିଲ୍ଲାରୁ ସାମିଲ ହୋଇଛନ୍ତି ତୀର୍ଥଯାତ୍ରୀ

ଏହି ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯ ଜଣ ତୀର୍ଥଯାତ୍ରୀ ଯାଇଥିବା ବେଳେ କଟକରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮, ଜଗତସିଂହପୁରରୁ ୮୫ ଓ ଢେଙ୍କାନାଳରୁ ୮୯ ଜଣ ସାମିଲ ହୋଇଛନ୍ତି। ଏହି ଯାତ୍ରାରେ ସମସ୍ତ ତୀର୍ଥଯାତ୍ରୀଙ୍କ ସୁରକ୍ଷା, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଇଛି।

ଯାତ୍ରା ଆରମ୍ଭ ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ପ୍ରତୀକାତ୍ମକ ଭାବେ ରେଳ ଟିକେଟ୍‌ ଓ କିଟ୍‌ ବ୍ୟାଗ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସମେତ ପର୍ଯ୍ୟଟନ ବିଭାଗ ଓ ରେଳବାଇର ଅଧିକାରୀମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷ ୮ ହଜାର ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା ଲକ୍ଷ୍ୟ

୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୧୦ଟି ପର୍ଯ୍ୟାୟରେ ପ୍ରାୟ ୮,୦୦୦ ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ଧାର୍ମିକ ସ୍ଥଳକୁ ନେବାର ଯୋଜନା ରହିଛି। ବାରଣାସୀ ଓ ଅଯୋଧ୍ୟା ସହ ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭଳି ତୀର୍ଥସ୍ଥଳ ଏହି ଯାତ୍ରାରେ ସାମିଲ ହୋଇଛି।

ଆର୍ଥିକ କାରଣରୁ ତୀର୍ଥଯାତ୍ରା କରିବାରୁ ବଞ୍ଚିତ ହେଉଥିବା ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ଧାର୍ମିକ ସ୍ଥଳ ପରିଦର୍ଶନର ସୁଯୋଗ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।