ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭୂଟାନର ଗାସା ଜିଲ୍ଲାସ୍ଥିତ ‘ସିନ୍ତାଫୁ’ ଗ୍ଲେସିଅଲ୍ ହ୍ରଦରେ ଆକସ୍ମିକ ବିସ୍ଫୋରଣ ଘଟି ପ୍ରବଳ ଜଳସ୍ରୋତ ପ୍ରବାହିତ ହୋଇଛି। ଏହାଯୋଗୁଁ ଭୂଟାନରୁ ଭାରତ ଆଡ଼କୁ ବହିଆସୁଥିବା ସଂକୋଷ ଓ ମୋ-ଛୁ ନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ପରେ ଭାରତର ପଶ୍ଚିମବଙ୍ଗ ଏବଂ ଆସାମ ରାଜ୍ୟର ନଦୀକୂଳିଆ ଅଞ୍ଚଳଗୁଡ଼ିକ ପାଇଁ ଜରୁରୀକାଳୀନ ଆଲର୍ଟ ଜାରି କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଆକସ୍ମିକ ବିସ୍ଫୋରଣ ଫଳରେ ଗାସା ଛାଚୁ ସ୍ଥିତ ପ୍ରସିଦ୍ଧ ପ୍ରାକୃତିକ ଉଷ୍ମପ୍ରସ୍ରବଣ ଏବଂ ପାର୍ଶ୍ୱବର୍ତ୍ତୀ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାସିଯାଇଛି। ତେବେ ପୂର୍ବରୁ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଥିବାରୁ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଛି।

ପୁନାଖା-ଗାସା ହାଇୱେରେ ବନ୍ୟା ଆବର୍ଜନା ଜମା ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗୁମା ଗେୱୋଗ୍‌ରେ ସୌରଚାଳିତ ଜଳସେଚନ ପ୍ରକଳ୍ପ ଆଂଶିକ କ୍ଷତିଗ୍ରସ୍ତ ହୋଇଛି।ଭୂଟାନର ୧୭ଟି ସମ୍ବେଦନଶୀଳ ଗ୍ଲେସିଅଲ୍ ହ୍ରଦ ମଧ୍ୟରୁ ସିନ୍ତାଫୁ ଅନ୍ୟତମ, ଯାହା ମୋ-ଛୁ ନଦୀର ଉତ୍ସ ସ୍ଥଳରେ ଅବସ୍ଥିତ।

ଜଳସ୍ରୋତ ଦ୍ରୁତ ଗତିରେ ତଳିଆ ଅଞ୍ଚଳ ଆଡ଼କୁ ବହିଆସୁଥିବାରୁ ଭୂଟାନ ସରକାର ଭାରତୀୟ ପ୍ରଶାସନକୁ ସତର୍କ କରାଇଛନ୍ତି।

ଅଲୀପୁରଦୁଆର, ଜଲପାଇଗୁଡ଼ି, କୋଚବିହାର ଏବଂ ଦାର୍ଜିଲିଂ ପାର୍ବତ୍ୟ ଅଞ୍ଚଳରେ ସଙ୍କୋଷ ନଦୀକୂଳିଆ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ କୁହାଯାଇଛି। ଅଲୀପୁରଦୁଆର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଅମିତ କୁମାର ଶ ପାଣିକ ନହେବାକୁ ଅପିଲ୍ କରିବା ସହ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି।

ଆସାମର ଧୁବୁରୀ ଜିଲ୍ଲାରେ ସଙ୍କୋଷ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି।

ପ୍ରକୃତି ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟ ଜଳବାହୀ ହ୍ରଦଗୁଡ଼ିକ ଅସ୍ଥିର ହେଉଥିବାରୁ ଏଭଳି ସଙ୍କଟ ବୃଦ୍ଧି ପାଉଛି। ବର୍ତ୍ତମାନ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।