ନୂଆଦିଲ୍ଲୀ: ଦିଲ୍ଲୀର କନଟପ୍ଲେସ ଅଞ୍ଚଳରେ ଜୋରଜବରଦସ୍ତ ଦୋକାନ ବଜାର ବନ୍ଦ କରାଯାଉଥିବା ନେଇ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଇଣ୍ଡିଆ (INDIA) ମେଣ୍ଟର ‘ଦିଲ୍ଲୀ ଚଲୋ’ (Dilli Chalo) ରାଲିରେ ଯୋଗଦେବାକୁ ଆସିଥିବା ସମସ୍ୟାପୀଡ଼ିତ ଓ ନାଗରିକମାନଙ୍କୁ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ କିଣାକିଣି କରିବାକୁ ସେ ଆହ୍ୱାନ ଦେବାର ଗୋଟିଏ ଦିନ ପରେ ବିଜେପି ବଳପୂର୍ବକ ଦୋକାନ ବନ୍ଦ କରାଇଥିବା ସେ ଏକ୍ସ (X) ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିଯୋଗ କରିଛନ୍ତି।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଗ୍ୟାନେଶ କୁମାରଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ଆୟୋଜିତ ଏହି ମହା ରାଲିରେ ଭାଗ ନେଇ ରାହୁଲ ଗାନ୍ଧୀ କହିଛନ୍ତି, “ଆମେ ସମସ୍ତଙ୍କୁ ମାର୍ଚ୍ଚ ଏବଂ ରାଲି ପାଇଁ ଆସିବା ସହ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ସାମଗ୍ରୀ କିଣିବାକୁ ଅନୁରୋଧ କରିଥିଲୁ। କିନ୍ତୁ କନପ୍ଲେସରେ ପହଞ୍ଚିବା ପରେ ଜାଣିବାକୁ ପାଇଲୁ ଯେ ବିଜେପି ସମସ୍ତ ଦୋକାନକୁ ଜୋରଜବରଦସ୍ତ ବନ୍ଦ କରାଇଦେଇଛି। ବ୍ୟବସାୟୀଙ୍କର କିଏ କ୍ଷତି କରୁଛି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।”
ଅପରପକ୍ଷରେ, ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (CTI) ଏହି ରାଲି ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା ଦର୍ଶାଇ ରାହୁଲ ଗାନ୍ଧୀଙ୍କୁ ଚତୁର୍ଥ ଚିଠି ଲେଖିଛି।
- ୨.୫ ଲକ୍ଷ ଦୋକାନ ବନ୍ଦ ଆଶଙ୍କା: ରାମଲୀଳା ମଇଦାନର ୫ କିଲୋମିଟର ପରିଧି ମଧ୍ୟରେ ଥିବା ପ୍ରାୟ ୨.୫ ଲକ୍ଷ ଦୋକାନ ବନ୍ଦ ରହିବା ସହ ୮୦ ପ୍ରତିଶତ ବ୍ୟବସାୟିକ କାରବାର ଠପ୍ ହେବା ନେଇ CTI ସ୍ପଷ୍ଟ କରିଛି।
- ଦୀପାବଳି ପୂର୍ବ ବ୍ୟବସାୟ ବାଧାପ୍ରାପ୍ତ: CTI ଅଧ୍ୟକ୍ଷ ବ୍ରିଜେଶ ଗୋୟଲଙ୍କ ଅନୁଯାୟୀ, ଦୀପାବଳି ପୂର୍ବରୁ କେନ୍ଦ୍ରୀୟ ଓ ପୁରୁଣା ଦିଲ୍ଲୀ ଅଞ୍ଚଳରେ ପରିବହନ ଏବଂ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି, ଯାହା ବ୍ୟବସାୟୀଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ସୃଷ୍ଟି କରିଛି।
ରାହୁଲ ଗାନ୍ଧୀ ସ୍ଥାନୀୟ ବ୍ୟବସାୟୀଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ ମଧ୍ୟ ସ୍ଥିତି ଏବେ ଅତ୍ୟନ୍ତ ଭିନ୍ନ ହୋଇପଡ଼ିଛି। ଏହି ରାଲି ମାଧ୍ୟମରେ ଇଣ୍ଡିଆ ମେଣ୍ଟ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି ଜୋରଦାର କରିଛି।




