ଅମରାବତୀ: ବାତ୍ୟା ‘ଅର୍ଣ୍ଣବ’ ର ତାଣ୍ଡବ ପରେ ପୁଣି ଏକ ସାମୁଦ୍ରିକ ଝଡ଼ର ଆଶଙ୍କା ଦେଖାଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରବିବାର ସକାଳେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ‘ମୁରସୁ’ ରେ ପରିଣତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଉପକୂଳ ପାଇଁ ବାତ୍ୟା ସତର୍କତା ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ରବିବାର ପୂର୍ବାହ୍ନ ୧୧:୩୦ ସୁଦ୍ଧା ସକ୍ରିୟ ସାମୁଦ୍ରିକ ଝଡ଼ର ରୂପ ନେଇଛି। ଏହା ଚେନ୍ନାଇରୁ ୫୬୦ କିମି ପୂର୍ବ-ଦକ୍ଷିଣପୂର୍ବ, ବିଶାଖାପାଟଣାରୁ ୬୬୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ନେଲୋରରୁ ୬୩୦ କିମି ଏବଂ ମଛଲିପାଟଣାରୁ ୬୪୦ କିମି ଦୂରତାରେ କେନ୍ଦ୍ରୀଭୂତ ରହିଛି।

ସ୍ଥଳଭାଗ ଛୁଇଁବା ସମୟ ଓ ସମ୍ଭାବ୍ୟ ପବନର ବେଗ:

ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ‘ମୁରସୁ’ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ।

  • ଲ୍ୟାଣ୍ଡଫଲ୍ ସମୟ: ନଭେମ୍ବର ୨ ତାରିଖ ବିଳମ୍ବିତ ରାତି (୧୧:୩୦)ରୁ ନଭେମ୍ବର ୩ ତାରିଖ ପ୍ରତ୍ୟୂଷ (ସକାଳ ୪:୦୦) ମଧ୍ୟରେ ଏହା ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନେଲୋର ଓ ନରସାପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ।
  • ପବନର ବେଗ: ଲେଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ଛୁଇଁପାରେ।

ଗୋଟିଏ ସପ୍ତାହ ମଧ୍ୟରେ ଆନ୍ଧ୍ର ଉପକୂଳକୁ ସାମ୍ନା କରିବାକୁ ଥିବା ଏହା ଦ୍ୱିତୀୟ ବାତ୍ୟା। ଏହା ପୂର୍ବରୁ ଅକ୍ଟୋବର ୨୮ ସକାଳେ ଅତି ଭୀଷଣ ବାତ୍ୟା ‘ଅରନବ’ ନରସାପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା, ଯେଉଁଥିରେ ପବନର ବେଗ ୧୨୫ରୁ ୧୫୦ କିମି ରହିଥିଲା।

‘ଅରନବ’ ଯୋଗୁଁ ୭ ଜଣଙ୍କ ପ୍ରାଣହାନି ଘଟିବା ସହ ପ୍ରାୟ ୪,୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। କୃଷି, ବିଦ୍ୟୁତ୍, ଟେଲିକମ୍ ଏବଂ ରାସ୍ତାଘାଟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ଏବେ ଆନ୍ଧ୍ର ପ୍ରଦେଶ ଗସ୍ତରେ ଅଛନ୍ତି। ନୂତନ ବାତ୍ୟା ‘ମୁରସୁ’କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳକୁ ହାଇଆଲର୍ଟରେ ରଖାଯାଇଛି।