ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ଖଣିଜ ସମୃଦ୍ଧ ଅଞ୍ଚଳକୁ ସମୁଦ୍ର ବନ୍ଦର ସହ ଜଳପଥରେ ଯୋଡ଼ିବା ପାଇଁ ପ୍ରସ୍ତାବିତ ୫୮୮ କିଲୋମିଟର ଦୀର୍ଘ ଜାତୀୟ ଜଳପଥ-୫ (National Waterway-5) ପ୍ରକଳ୍ପକୁ ନେଇ ପୁଣି ତତ୍ପରତା ପ୍ରକାଶ ପାଇଛି। ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ଅଟକି ରହିଥିବା ଏହି ପ୍ରକଳ୍ପର ଅଗ୍ରଗତି ନେଇ ମଙ୍ଗଳବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ସରକାରୀ ବିଭାଗ ଓ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଜମି ହସ୍ତାନ୍ତର, ଆବଶ୍ୟକ ଅନୁମତି ଓ ଭିତ୍ତିଭୂମି ନିର୍ମାଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
୨୦୦୮ରେ ଘୋଷଣା, ଏବେ ବି ଅନୁମୋଦନ ପର୍ଯ୍ୟାୟରେ
ନଭେମ୍ବର ୨୦୦୮ରେ ଜାତୀୟ ଜଳପଥ ଭାବେ ଘୋଷିତ ହୋଇଥିଲା ଏହି ପ୍ରକଳ୍ପ। ମହାନଦୀ ଡେଲ୍ଟା, ବ୍ରାହ୍ମଣୀ ନଦୀ, ମାତାଇ ନଦୀ ଓ ଇଷ୍ଟକୋଷ୍ଟ କେନାଲକୁ ନେଇ ଏହାର ମୋଟ ଲମ୍ବ ପ୍ରାୟ ୫୮୮ କିଲୋମିଟର ରଖାଯାଇଛି। ପ୍ରସ୍ତାବିତ ଜଳପଥର ତିନୋଟି ମୁଖ୍ୟ ଅଂଶ ହେଉଛି ତାଳଚେରରୁ ମଙ୍ଗଳଗଡ଼ି ୨୩୭ କିମି, ଧାମରାରୁ ପାରାଦୀପ ୯୫ କିମି ଏବଂ ଧାମରାରୁ ପଶ୍ଚିମବଙ୍ଗର ଗେଓନଖାଲି ୨୫୬ କିମି।
ଏହି ଜଳପଥ ଦ୍ୱାରା ତାଳଚେର ଓ ଅନୁଗୁଳର ଖଣିଜ ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ପାରାଦୀପ ଓ ଧାମରା ବନ୍ଦରକୁ ସଂଯୋଗ କରିବା ଯୋଜନା ରହିଛି। କୋଇଲା, ଲୁହାପଥର, ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପଜାତ ସାମଗ୍ରୀ ପରିବହନ ପାଇଁ ଏହା ଏକ ବିକଳ୍ପ ଓ କମ୍ ଖର୍ଚ୍ଚର ମାଧ୍ୟମ ହୋଇପାରିବ।
ପ୍ରଥମ ପର୍ଯ୍ୟାୟରେ ୩୩୨ କିମି ଜଳପଥ ବିକାଶ ଯୋଜନା
ସମଗ୍ର ୫୮୮ କିମି ଜଳପଥ ମଧ୍ୟରୁ ପ୍ରଥମେ ଆର୍ଥିକ ଓ ବାଣିଜ୍ୟିକ ଦୃଷ୍ଟିରୁ ଲାଭଜନକ ୩୩୨ କିମି ଅଂଶର ବିକାଶ କରିବାକୁ ଯୋଜନା ହୋଇଛି। ଏଥିରେ ପାରାଦୀପ/ଧାମରାରୁ ପଙ୍କପାଳ ପର୍ଯ୍ୟନ୍ତ ୨୧୨ କିମି ପ୍ରଥମ ପର୍ଯ୍ୟାୟ ଏବଂ ପଙ୍କପାଳରୁ ତାଳଚେର ପର୍ଯ୍ୟନ୍ତ ୧୨୦ କିମି ଦ୍ୱିତୀୟ ପର୍ଯ୍ୟାୟ ରହିଛି। ଧାମରାରୁ ଗେଓନଖାଲି ପର୍ଯ୍ୟନ୍ତ ଅବଶିଷ୍ଟ ୨୫୬ କିମି ଅଂଶକୁ ଏବେ ପାଇଁ ବିକାଶଯୋଗ୍ୟ ବୋଲି ବିବେଚନା କରାଯାଇନାହିଁ।
ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ୧୨,୨୦୪ କୋଟି ଟଙ୍କା ରହିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ‘ଇନଲ୍ୟାଣ୍ଡ ୱାଟରୱେଜ୍ କନସୋର୍ଟିୟମ୍ ଅଫ୍ ଓଡ଼ିଶା ଲିମିଟେଡ୍’ (IWCOL) ନାମକ ସ୍ୱତନ୍ତ୍ର ସଂସ୍ଥା ମାଧ୍ୟମରେ କାମ କରିବାର ଯୋଜନା ରହିଛି। ଏଥିରେ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ ଓ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ର ଭାଗୀଦାରି ରହିବାର ଯୋଜନା ଅଛି।
ଜମି, ଜଳ ଓ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ
ସମୀକ୍ଷା ବୈଠକରେ ଜଳପଥ ପାଇଁ ଟର୍ମିନାଲ୍ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ନଦୀରେ ଆବଶ୍ୟକ ଜଳସ୍ତର ବଜାୟ ରଖିବା, ନାଭିଗେସନ୍ ଲକ୍ ନିର୍ମାଣ ଓ ବିଭିନ୍ନ ଆଇନଗତ ଅନୁମତି ଉପରେ ଆଲୋଚନା ହୋଇଥିଲା। ଏହା ସହ ଖାଲପାଳ ନାଭିଗେସନ୍ ଲକ୍, ପୋଲର ଉଚ୍ଚତା ଓ ଅବସ୍ଥାରେ ପରିବର୍ତ୍ତନ, ଶେଷ ମାଇଲ୍ ସଡ଼କ ସଂଯୋଗ ଏବଂ ଉଚ୍ଚ ଓ ନିମ୍ନ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଲାଇନ୍ ସ୍ଥାନାନ୍ତରଣ ଭଳି ପ୍ରସଙ୍ଗ ଉଠିଥିଲା।
ଏହି ପ୍ରକଳ୍ପ ସହିତ ଜଡ଼ିତ ପରିବେଶ, ଜୀବିକା ଓ ଜମି ଅଧିଗ୍ରହଣ ପ୍ରଭାବର ମୂଲ୍ୟାୟନ ମଧ୍ୟ ଆବଶ୍ୟକ। ଜାତୀୟ ଜଳପଥ-୫ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଅନ୍ୟାନ୍ୟ ଅନୁମୋଦନ ପ୍ରକ୍ରିୟା ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ସଡ଼କ ଓ ରେଳପଥ ଉପରେ ମାଲ୍ ପରିବହନର ଚାପ କମିବା ସହ ଶିଳ୍ପ, ବାଣିଜ୍ୟ ଓ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।




